ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀଙ୍କ ପରଲୋକ
ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କର ମୃତ୍ୟୁ ଘଟିଛି । ନ୍ୟୁୟର୍କ ସହରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ଗତକାଲି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି କହିଛନ୍ତି ଯେ, “ମୁଁ ଅତ୍ୟନ୍ତ ଦୁଃଖର ସହ କହୁଛି ନ୍ୟୁୟର୍କ ସହରରେ ଇଭାନା ଟ୍ରମ୍ପଙ୍କର ଦେହାନ୍ତ ହୋଇଛି । ସେ ଥିଲେ ଅସାଧାରଣ ଏବଂ ପ୍ରେରଣାଦାୟୀ ଜୀବନଯାପନ କରୁଥିବା ଜଣେ ଚମତ୍କାର, କମନୀୟ ମହିଳା । ତାଙ୍କର ଆନନ୍ଦ ଥିଲା ୩ ଛୁଆ ଡୋନାଲ୍ଡ୍ ଜୁନିୟର୍, ଇଭାଙ୍କା ଏବଂ ଏରିକ୍ । ସେମାନଙ୍କ ପାଇଁ ସେ ଗୌରବାନ୍ବିତ ମନେକରୁଥିଲେ ।”୧୯୭୭ ମସିହାରେ ଇଭାନା ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିଥିଲେ । ୧୯୯୨ରେ ଛାଡପତ୍ର ହୋଇଥିଲା । ୩ ପିଲା ଓ ୧୦ଜଣ ନାତିନାତୁଣୀଙ୍କୁ ତାଙ୍କ ଅନୁପସ୍ଥିତି ଖୁବ୍ ଦୁଃଖ ଦେବ ବୋଲି କହିଛନ୍ତି ଟ୍ରମ୍ପ । ଇଭାନା ଟ୍ରମ୍ପ ଟ୍ରମ୍ପ ସଂଗଠନ ପାଇଁ ଇଣ୍ଟରିୟର ଡିଜାଇନର ଉପାଧ୍ୟକ୍ଷ ଥିଲେ। ବିବାହ ବିଚ୍ଛେଦ ପରେ ଇଭାନା ପୋଷାକପତ୍ର, ଅଳଙ୍କାର ଏବଂ ପ୍ରସାଧନ ସାମଗ୍ରୀ ବ୍ୟବସାୟ କରି ସଫଳ ହେବା ସହ କେତେଗୁଡ଼ିଏ ପୁସ୍ତକ ମଧ୍ୟ ରଚନା କରିଥିଲେ।
Comments are closed.