ସଂସଦ ଅଧିବେଶନରେ ଏହି ତିନି ବିଲ୍ କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୮ରୁ ୨୨ ସେପ୍‌ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇଥିବା ବେଳେ ଏହି ଅବସରରେ ୪ଟି ବିଲ୍‌ ଆଗତ କରାଯିବ ବୋଲି ଆଜି ଏକ ବୁଲେଟିନ୍‌ ଜାରି କରାଯାଇଛି। ଅଧିବେଶନର ଦିନକ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ମଧ୍ୟ ଡକାଇଛନ୍ତି। ଆସନ୍ତା ୧୭ ତାରିଖ ଅପରାହ୍ନ ୪ଟା ୩୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସ(ପୂର୍ବର ଟ୍ବିଟର)ରେ ପୋଷ୍ଟ୍‌ କରିଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିବସରେ ୭୫ ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି, ଅନୁଭବ ଓ ସ୍ମୃତିକୁ ନେଇ ଚର୍ଚ୍ଚା ହେବ। ରାଜ୍ୟସଭାରେ ପୋଷ୍ଟ୍‌ ଅଫିସ ବିଲ୍‌-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ଆଗତ ହେବ। ଏହା ସହିତ ଲୋକସଭାରେ ଏଡ୍‌ଭୋକେଟ୍‌ସ ଆମେଣ୍ଡ୍‌ମେଣ୍ଟ୍‌ ବିଲ୍‌-୨୦୨୩ ଏବଂ ପ୍ରେସ୍‌ ଓ ରେଜିଷ୍ଟ୍ରେସନ ଅଫ୍‌ ପିରିଓଡିକାଲ ବିଲ୍‌-୨୦୨୩ ଆଗତ ହେବ। ସ୍ବତନ୍ତ୍ର ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବନାହିଁ। ଏହା ସହିତ କୌଣସି ପ୍ରାଇଭେଟ୍‌ ବିଲ୍‌ ମଧ୍ୟ ଆଗତ ହେବନାହିଁ ବୋଲି ଜଣାପଡ଼ିଛି।

ଟିଏମ୍‌ସି ନେତା ଡେରେକ ଓବ୍ରାଏନ ଏ ନେଇ କଟାକ୍ଷ କରି କହିଛନ୍ତି, କେବଳ ଦୁଇ ଜଣ ହିଁ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସଂପର୍କରେ ଜାଣନ୍ତି ଏବଂ ଆମେ ଏବେ ବି ନିଜକୁ ସଂସଦୀୟ ଗଣତନ୍ତ୍ର ବୋଲି କହୁଛେ। ସ୍ବତନ୍ତ୍ର ଅଧିବେଶନ ନେଇ କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ଆଜି ମଧ୍ୟ ସରକାରକୁ ସମାଲୋଚନା କରିଛନ୍ତି। ଆଉ ୫ ଦିନ ପରେ ଅଧିବେଶନ ଆରମ୍ଭ ହେଉଥିଲେ ମଧ୍ୟ ସରକାର ବିରୋଧୀ ଦଳମାନଙ୍କୁ ଅନ୍ଧକାରରେ ରଖିଛନ୍ତି ବୋଲି ରମେଶ କହିଛନ୍ତି। ସୂଚନାଯୋଗ୍ୟ, ସରକାର ଏହି ଅଧିବେଶନରେ ଏକ ଦେଶ, ଏକ ନିର୍ବାଚନ, ମହିଳା ସଂରକ୍ଷଣ ବିଲ୍‌ ସମେତ ଅନେକ ବଡ଼ ବିଲ ଆଗତ କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି ବି ସାର୍ବଜନୀନ କରାଯାଇନଥିଲା।

Comments are closed.