ସମ୍ବଲପୁରବାସୀଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର: ଜାଣନ୍ତୁ କାହିଁକି

ସମ୍ବଲପୁର ଲୋକ ସଭା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଭିଡିଓ ଜାରିକରି ସମ୍ବଲପୁରୀ ଭାଷାରେ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଶୀତଳଷଷ୍ଠୀ ପର୍ବ ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ବିଷୟ। ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ବରୂପ। ଦେବଦମ୍ପତି ପ୍ରଭୁ ଶିବ ଆଉ ମା’ ପାର୍ବତୀଙ୍କ ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ। ଏହା ଲୋକସଂସ୍କୃତି ଓ ଭାଇଚାରାକୁ ବ୍ୟାପକ କରିବାର ପର୍ବ। ଶୀତଳଷଷ୍ଠୀ ହେଉଛି ବର୍ଷା ପାଇଁ ଭଗବାନଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବାର ପବିତ୍ର ଅବସର। ଶୀତଳଷଷ୍ଠୀ ବେଳେ ସମସ୍ତେ ମିଳିମିଶି ଆମ ସମାଜରେ ଭାଇଚାରା ବଢ଼ାଇବା ଏବଂ ଭଲ ବର୍ଷା ପାଇଁ ଦେବଦମ୍ପତି ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ନିକଟରେ ଗୁହାରି କରିବା। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ପ୍ରଗତି ଆଣିଦେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି। ଏହାବ୍ୟତୀତ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରର ୩ୟ ପାଳିର ପ୍ରଥମ କ୍ୟାବିନେଟ୍‌ ଅନୁଷ୍ଠିତ ହେଉଛି। ମହାପ୍ରଭୁ ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ପ୍ରଥମ କ୍ୟାବିନେଟ୍‌ ଅନୁଷ୍ଠିତ ହେଉଥିବା ଯୋଗୁ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇପାରୁନାହାନ୍ତି। ଏଥିପାଇଁ ସମ୍ବଲପୁରବାସୀଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିଥିବା କହିଛନ୍ତି।

Comments are closed.