କେନ୍ଦୁଝରରେ ଡେଙ୍ଗୁ ନେଲା ଏ ବର୍ଷର ପ୍ରଥମ ଜୀବନ!

ବଡ଼ବିଲ : କେନ୍ଦୁଝର ଜିଲ୍ଲାରେ ଡେଙ୍ଗୁ ଆଜି ଏ ବର୍ଷର ପ୍ରଥମ ମୁଣ୍ଡ ନେଇଛି। ବଡ଼ବିଲ ପୌରାଞ୍ଚଳ ୪ ନମ୍ୱର ୱାର୍ଡ ଅନ୍ତର୍ଗତ ଶ୍ରୀରାମନଗର ଅଞ୍ଚଳର ବୀର୍‌ ବିଶ୍ୱକର୍ମା (୩୬)ଙ୍କ ରବିବାର ଡେଙ୍ଗୁରେ ମୃତ୍ୟୁ ହୋଇଛି। ତେବେ ଏ ସଂପର୍କରେ ଆଧିକାରିକ ଭାବେ ଘୋଷଣା ହୋଇନାହିଁ। କେନ୍ଦୁଝରରେ ଡେଙ୍ଗୁ ଏବେ ଧୀରେଧୀରେ କାୟା ମେଲାଇବାରେ ଲାଗିଛି। ଜିଲ୍ଲାର ପାଟଣା, ବାଂଶପାଳ ଏବଂ ବଡ଼ବିଲ ପୌରପରିଷଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସବୁ ସ୍ଥାନରୁ ମୋଟ ୧୦ଜଣ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିବା ବେଳେ ଡେଙ୍ଗୁ ଲକ୍ଷଣ ଥିବା ଅନ୍ୟ ୬ ଜଣଙ୍କର ରିପୋର୍ଟ ଆସିନାହିଁ।

ମିଳିଥିବା ସୂଚନାନୁସାରେ, ବଡ଼ବିଲ ପୌରାଞ୍ଚଳ ୪ ନମ୍ୱର ୱାର୍ଡ ଶ୍ରୀରାମନଗର ଅଞ୍ଚଳର ବୀର ବିଶ୍ୱକର୍ମା ଅସୁସ୍ଥ ହୋଇ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବଡ଼ବିଲରେ ଆତଙ୍କ ସୃଷ୍ଟି ହୋଇଛି। ଆଜି ଜିଲ୍ଲାପାଳ ବଡ଼ବିଲ ଗସ୍ତରେ ଆସୁଥିବା ସୂଚନା ମିଳିଛି।

Comments are closed.