ନାଇଜର ଛାତ୍ରୀଙ୍କ ରହସ୍ୟ ଜନକ ମୃତ୍ୟୁ !!
ଜଟଣୀ(ସଞ୍ଜୀବ କୁମାର) : ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜ୍ୟୁକେସନ୍ ଆଣ୍ଡ ରିସର୍ଚ୍ଚ ସେଂଟର,(ନାଇଜର)ଭୂବନେଶ୍ୱର ଜଟଣୀ କ୍ୟାମ୍ପସରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଏଜ୍ୟୁକେସନାଲ ବିଲ୍ଡିଂର ୬ ମହଲା ବିଶିଷ୍ଟ କୋଠାରୁ ପଡି ରହସ୍ୟଜନକଭାବେ ଜଣେ ମେଧାବୀ ଓ ସ୍ୱର୍ଣ୍ଣପଦକ ହାସଲ କାରୀ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବହୁତଳ ପ୍ରାସାଦରୁ ପଡି ମୃତ୍ୟୁ ଘଟିଥିବାକୁ ନେଇ ନାଇଜର କର୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନର କାରଣ ଖୋଜାଚାଲିଛି । ଏନେଇ ପୁଲିସର ତନାଘନା ଆରମ୍ଭ ହୋଇଥିବା ବେଳେ ମୃତ ଛାତ୍ରୀଙ୍କ ପରିବାରକୁ ଅବଗତ କରାଯାଇ ସେମାନଙ୍କ ଉପସ୍ଥିତିକୁ ଅପେକ୍ଷା କରାଯାଇଛି । ସୁଚନାନୁସାରେ ସ୍ଥାନୀୟ ନାଇଜର କ୍ୟାମ୍ପସର ଡି-୨ ବିଲ୍ଡିଂର ୬ମହଲା ବିଶିଷ୍ଟ କୋଠାରୁ ପଡି ସୋମବାର ପୁର୍ବାହ୍ନ ସାଢେ ୮ଟା ସମୟରେ ଜଣେ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଛତିଶଗଡ ଜିଲା ଅଂଚଳର ପୂଜା ଜେଠୱାନୀ ବୋଲି ନାଇଜର କାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି । ପୂଜା ନାଇଜରରେ ଫିଜିକ୍ସରେ ୫ବର୍ଷର ପିଏଚ୍ଡି ଛାତ୍ରୀ ଥିଲା ବେଳେ ସେ ଆଇଆଇଟି ମାଡ୍ରାସରୁ ସ୍ୱର୍ଣ୍ଣପଦକ ହାସଲ କରିବା ସହିତ ଜଣେ ଟପ୍ପର ଛାତ୍ରୀ ଥିଲେ ବୋଲି ନାଇଜର ପକ୍ଷରୁ ସୁଚନା ମିଳିଛି । ପୁର୍ବାହ୍ନ ସାଢେ ୮ଟା ସମୟରେ ପୂଜା ଉକ୍ତ ବିଲ୍ଡିଂର ୬ମହଲା ବିଶିଷ୍ଟ କୋଠାରୁ ତଳକୁ ପଡିଯାଇଥିବା ଉପସ୍ଥିତ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇଥିଲେ । ପୂଜା ପଡିଥିବା ସ୍ଥାନରେ ପ୍ରବଳ ରକ୍ତସ୍ରାବ ହୋଇ ଚଟାଣଟି ରକ୍ତ ଜୁଡୁବୁଡୁ ହୋଇଯାଇଥିଲା । ତେବେ ପୂଜାଙ୍କ ସହପାଠୀ ଛାତ୍ରଛାତ୍ରୀମାନେ ଏନେଇ ଭୟଭିତ ହୋଇ ବିଭାଗୀୟ ଫାକଲ୍ଟିଙ୍କୁ ଜଣାଇଥିଲେ । ତେବେ ସଙ୍ଗେ ସଙ୍ଗେ ପୂଜାଙ୍କୁ ଭୂବନେଶ୍ୱର ଏମ୍ସ୍ ହସ୍ପିଟାଲକୁ ନେଇଯାଇଥିଲା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ତେଣୁ ଏହି ଘଟଣା ନେଇ ପୁଲିସକୁ ଅବଗତ କରାଯିବାପରେ ଜଟଣୀପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ହେଲେ କାରଣ ଏ ପର୍ଯ୍ୟନ୍ତ ଜଣାପଡିନଥିବା ତଦନ୍ତକାରୀ ପୁଲିସ କହୁଛି । ପୁଲିସ ପୂଜାଙ୍କ ନିକଟରୁ ଏକ ଡାଏରୀ ଜବତ କରିଥିବା ବେଳେ ପୂଜାଙ୍କ ମୋବାଇଲ ଫୋନଟିକୁ ନିଜ ହେପାଜତକୁ ନେଇଛି । ଅନ୍ୟପଟେ ଏହାକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ କେଉଁ କାରଣରୁ ପୂଜା ଆତ୍ମହତ୍ୟାଭଳି ପଦକ୍ଷେପ ନେଲେ ତାହା ତଦନ୍ତପରେ ସ୍ପଷ୍ଟ ହୋଇପାରିବ । ପୂଜା ପାଠପଢାରେ ମାନସିକ ଚାପରେ ରହିଥିଲେ କିମ୍ବା ପରିବାର ଓ ସାଙ୍ଗସାଥୀ ଅଥବା ଅନ୍ୟ କୈାଣସି ଚାପ ପୂଜାଙ୍କ ଉପରେ ରହୁଥିଲା କି ବୋଲି ବିଭିନ୍ନ ଆଡୁ ପ୍ରଶ୍ନ ହେଉଥିବା ବେଳେ କେବଳ ତଦନ୍ତକୁ ଅପେକ୍ଷା କରାଯାଇଛି । ପୂଜାଙ୍କ ମୃତଦେହ ଭୂବନେଶ୍ୱର ଏମ୍ସ ହସ୍ପିଟାଲର ଶବାଗାରରେ ରହିଥିବା ନାଇଜର କୂଳପତିଙ୍କଠାରୁ ସୁଚନା ମିଳିଛି । ଦେଶ ଓ ରାଜ୍ୟ ଇତ୍ୟାଦିରୁ ଛାତ୍ରଛାତ୍ରୀମାନେ ଆସି ଏଠାରେ ପାଠପଢୁଥିବା ବେଳେ ଏନେଇ ପୂଜା ମଧ୍ୟ ଛତିଶଗଡରୁ ଆସି ପାଠ ପଢୁଥିଲେ । କୋଭିଡ ଯୋଗୁଁ ନିଜ ଗ୍ରାମକୁ ଯାଇଥିଲେ ନିକଟରେ ପୂଜା ନାଇଜରକୁ ଆସିଥିଲେ ବୋଲି ନାଇଜର ପକ୍ଷରୁ ସୁଚନା ମିଳିଛି । ଏନେଇ ଜଟଣୀଥାନାରେ ୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଟଣୀଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତି । ତେବେ ଏନେଇ ନାଇଜର କୂଳପତି ଡ. ଅଭୟ କୁମାର ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଘଟଣା ସମନ୍ଧରେ ମୁଁ ସକାଳେ ଖବର ପାଇଲି । ଉକ୍ତ ଛାତ୍ରୀଙ୍କୁ ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମାତ୍ର ଉକ୍ତ ମେଧାବୀ ଛାତ୍ରୀଙ୍କ ମୃତ୍ୟୁର କାରଣ ସମନ୍ଧରେ ତଦନ୍ତପରେ କୁହାଯାଇପାରିବ । କଡା ସୁରକ୍ଷା ମଧ୍ୟରେ ଛାତ୍ରୀଙ୍କ ମୃତ୍ୟୁ ଉପରେ ଡ. ନାୟକ କୈାଣସି ମନ୍ତବ୍ୟ ଦେଇନଥିଲେ ।
Comments are closed.