ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ଡାକ୍ତର ରାଉତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସା ଚାଲିଛି।

ତେବେ ସମ୍ବିତଙ୍କ ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, CPR ଦେଲା ଭଳି ଅବସ୍ଥା ନଥିଲା। କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କର ଅକ୍ସିଜେନ୍‌ ସାଚୁରେସନ କମିଯାଇଥିଲା। କିଡ୍‌ନୀ ଠିକ୍‌ ନଥିଲା। ଡାକ୍ତର ତୁରନ୍ତ ଦେଖିଥିଲେ, ଇସିଜି ହୋଇଥିଲା, ଅକ୍ସିଜେନ୍‌ ଦିଆଯାଇଥିଲା। ଯେହେତୁ ଆମର ଏଠି କିଡ୍‌ନୀ ଡାକ୍ତର ନାହାନ୍ତି, ରେଫର କରିବାକୁ ପଡ଼ିଲା।ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା। ତାଙ୍କୁ ସିପିଆର୍‌ ଦେଲା ଭଳି ଅବସ୍ଥା ନଥିଲା, ତେଣୁ ଦିଆଯାଇନଥିଲା ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

Comments are closed.