ବିରୋଧୀଙ୍କୁ ଏକତ୍ରିତ କରୁଥିବ ଶରତ ପାୱାରଙ୍କ ଦଳରେ ଫାଟ

ମୁମ୍ବାଇ:ବିରୋଧୀଙ୍କୁ ଏକତ୍ର କରିବାରେ ବିଫଳ ହେବେକି ଶରତ ପାୱାରଙ୍କ ଦଳ । ଏନସିପି ଭିତରେ ଉଠିଲା ଝଡ଼। ଦଳର ରାଷ୍ଟ୍ରୀୟ ଅଧିବେଶନ ସମୟରେ ଦେଖାଦେଲା ଭିତର କନ୍ଦଳ। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର ଦଳର ରାଷ୍ଟ୍ରୀୟ ଅଧିବେଶନ ବୈଠକ ଅଧାରୁ ଛାଡ଼ି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଶରଦ ପାୱାର ମଞ୍ଚରେ ଉପସ୍ଥିତ ଥିବାବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ଅଜିତ ପାୱାର ହଠାତ୍‌ ଗାଏବ ହୋଇ ଯାଇଥିଲେ। ଏପରି କାର୍ଯ୍ୟକଳାପ ଯୋଗୁ ଅଜିତ ପାୱାରଙ୍କ ନିକଟରୁ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବାର ସୁଯୋଗ ମଧ୍ୟ ହାତଛଡ଼ା ହୋଇଥିବା ଜଣାଯାଇଛି।

ଗତକାଲି ଦଳର ରାଷ୍ଟ୍ରୀୟ ଅଧିବେଶନରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ସମୟରେ ଦଳର ଆଗ ଧାଡ଼ିର ନେତା ଜୟନ୍ତ ପାଟିଲଙ୍କୁ ଭାଷଣ ଦେବାର ସୁଯୋଗ ମିଳିଥିଲା। ଏହା ଦେଖି ଅଜିତ ପାୱାର କିଛି ସମୟ ପରେ ମଞ୍ଚରୁ ଉଠି ଚାଲିଗଲେ। ତାଙ୍କ ପଦକ୍ଷେପ ଯୋଗୁଁ ପାର୍ଟିରେ ନାନା ଗୁଜବ ଓ କଳ୍ପନାଜଳ୍ପନା ଚାଲିଛି।

Comments are closed.