ମେଣ୍ଟରେ ଫାଟ, ବିହାରରେ ନିର୍ବାଚନ ଲଢିବ ଆପ

ନୂଆଦିଲ୍ଲୀ: ଏନ୍‌ଡିଏକୁ ଟକ୍କର ଦେବାପାଇଁ ୨୬ଟି ବିରୋଧୀ ଦଳଙ୍କୁ ନେଇ ଗଠିତ ହୋଇଥିବା ଇଣ୍ଡିଆ ମେଣ୍ଟରେ କନ୍ଦଳ ଓ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍‌ ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏଭଳି ଘୋଷଣା ଇଣ୍ଡିଆ ମେଣ୍ଟରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହା ଆରଜେଡି ଏବଂ ଜେଡିୟୁ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଉଭୟ ଦଳ ଇଣ୍ଡିଆ ମେଣ୍ଟର ସିଦ୍ଧାନ୍ତ ଓ ମେଣ୍ଟଧର୍ମ ସଂପର୍କରେ ଆପ୍‌କୁ ମନେ ପକାଇ ଦେଇଛନ୍ତି। ଏଭଳି ନିଷ୍ପତ୍ତି ଇଣ୍ଡିଆ ମେଣ୍ଟକୁ ଦୁର୍ବଳ କରିଦେବ ବୋଲି କେତେକ ଜେଡିୟୁ ନେତା କହିଛନ୍ତି। ଅନ୍ୟପକ୍ଷରେ ଆପ୍‌ ନେତା ସଂଦୀପ ପାଠକ କହିଛନ୍ତି ଯେ ବିହାରରେ ଦୂଷିତ ରାଜନୀତି ଯୋଗୁଁ ରାଜ୍ୟର ବିକାଶ ହୋଇପାରୁନାହିଁ। ଏହି କାରଣରୁ ଆପ୍‌ ବିହାରରେ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି । ଗୁଜରାଟ ଭଳି ବିହାରରେ ମଧ୍ୟ ଆପ୍‌ ସବୁ ଶକ୍ତି ଖଟାଇ ନିର୍ବାଚନ ଲଢ଼ିବ ବୋଲି ପାଠକ କହିଛନ୍ତି। ଆପ୍‌ ଏକ ଜାତୀୟ ରାଜନୈତିକ ଦଳ ଏବଂ ଦେଶ ସ୍ବାର୍ଥ ସର୍ବଦା ଆମ ପାଇଁ ପ୍ରଥମ ବୋଲି ସେ କହିଛନ୍ତି।

ଆର୍‌ଜେଡି-ଜେଡିୟୁ ମେଣ୍ଟଧର୍ମ ମନେ ପକାଇଦେଲେ

କଂଗ୍ରେସର ଦାବି: ଏନ୍‌ଡିଏର କିଛି ଦଳ ଇଣ୍ଡିଆ ମେଣ୍ଟରେ ସାମିଲ ହେବ ।

କଂଗ୍ରେସ ଆଜି ଦାବି କରିଛି ଯେ ଇଣ୍ଡିଆ ମେଣ୍ଟରେ ଏନ୍‌ଡିଏ ମେଣ୍ଟର କିଛି ଦଳ ଯୋଗଦେବେ। ଏନ୍‌ଡିଏ ବୈଠକରେ ସାମିଲ ହୋଇଥିବା କିଛି ନେତା ଆମ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ଅଗଷ୍ଟ ୩୧ ଓ ସେପ୍‌ଟେମ୍ବର ୧ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ମେଣ୍ଟ ବୈଠକରେ ସାମିଲ ହେବେ ବୋଲି କଂଗ୍ରେସ କହିଛି।

Comments are closed.