ମେଣ୍ଟରେ ଫାଟ , କଂଗ୍ରେସ ଉପରେ ବର୍ଷିଲେ ଅଖିଳେଶ

ଭୋପାଳ: ଇଣ୍ଡିଆ ମେଣ୍ଟରେ କଂଗ୍ରେସକୁ ନେଇ ତିନି ଦିନ ତଳେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଆଜି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଆଦୌ ବିଶ୍ବାସଯୋଗ୍ୟ ଦଳ ନୁହେଁ ଏବଂ ଏହି ଦଳକୁ ଭୋଟ୍‌ ଦେଲେ କିଛି ଫାଇଦା ହେବନାହିଁ ବୋଲି ଅଖିଳେଶ କହିଛନ୍ତି। ଏହା ସହିତ କଂଗ୍ରେସକୁ ଏକ ଚାଲୁ ପାର୍ଟି ବୋଲି ମଧ୍ୟ ସେ କହିଛନ୍ତି । କଂଗ୍ରେସ କେବଳ ଭୋଟ୍‌ ପାଇଁ ଜାତି ଆଧାରିତ ଜନଗଣନା ଚାହୁଛି।

କଂଗ୍ରେସ ପ୍ରତି ବହୁତ ସାବଧାନ ରହିବାକୁ ପଡ଼ିବ, ଅନ୍ୟଥା ଜନସାଧାରଣ ପ୍ରତାରଣାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଅଖିଳେଶ ଆଜି ମଧ୍ୟପ୍ରଦେଶରେ ଏକ ଜନସଭାରେ କହିଛନ୍ତି। ଯଦି ରାଜ୍ୟରେ ରାସନ ଯୋଗାଣ ବ୍ୟବସ୍ଥା ଠିକ୍‌ ନାହିଁ ତା’ହେଲେ ବିଜେପିକୁ ମଧ୍ୟ ଭୋଟ୍‌ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ବିଜେପି ଗଣତନ୍ତ୍ରରେ ବିଶ୍ବାସ କରେନାହିଁ ଏବଂ ଏହା ଲୁଟ୍‌ତନ୍ତ୍ରରେ ବିଶ୍ବାସ କରେ ବୋଲି ଅଖିଳେଶ କହିଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋଙ୍କ କଂଗ୍ରେସ ବିରୋଧୀ ଆଭିମୁଖ୍ୟ ଇଣ୍ଡିଆ ମେଣ୍ଟର ଅନ୍ୟ ନେତାଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ଉତ୍ତରପ୍ରଦେଶରେ ଯଦି କଂଗ୍ରେସ-ସପା ମେଣ୍ଟ ଭଣ୍ଡୁର ହୁଏ ତା’ହେଲେ ବିଜେପି ଏହାର ବହୁତ ବଡ଼ ଫାଇଦା ଉଠାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comments are closed.