ଗୋମୂତ୍ର ଲିଟର ପିଛା ୪ଟଙ୍କା

ରାୟପୁର : ଛତିଶଗଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ଯେଉଁଠାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସରକାର ଗୋମୂତ୍ର କିଣିବାକୁ ଯାଉଛନ୍ତି। ଗୋମୂତ୍ର କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାକୁ ଭୁପେଶଙ୍କ କ୍ୟାବିନେଟ ଅନୁମୋଦନ କରିଛି। ଗୋମୂତ୍ର କିଣିବାର ଯୋଜନା ଛତିଶଗଡର ସବୁଠାରୁ ଲୋକପ୍ରିୟ ପର୍ବ ହରେଲି ଦିନ ୨୮ ଜୁଲାଇରୁ ଆରମ୍ଭ ହେବ। ବିଭାଗୀୟ ସୂତ୍ର ଅନୁଯାୟୀ ସରକାର ଲିଟର ପିଛଉା ୪ ଟଙ୍କା ଦାମରେ ଗୋମୂତ୍ର ଚାଷୀଙ୍କଠାରୁ କିଣିବେ। ଗୋଧନ ନ୍ୟାୟ ଯୋଜନା ଅନ୍ତର୍ଗତ ଗୋମୂତ୍ର କିଣିବା ସରକାରଙ୍କର ଏକ ଉଚ୍ଚାଭିଳାଷୀ ଯୋଜନା ହେବ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ ଛତିଶଗଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସରକାର ଚାଷୀଙ୍କଠାରୁ ଗୋବର କିଣିଛନ୍ତି। ବର୍ତ୍ତମାନ ଆମେ ଗୋମୂତ୍ର କିଣିବାକୁ ଯାଉଛୁ । ଏହାର ବଡ଼ ଲାଭ ହେଉଛି କୃଷକ ଏବଂ ପଶୁପାଳନକାରୀଙ୍କ ଆୟରେ ବୃଦ୍ଧି ଘଟିଛି । ଏହା ଦ୍ୱାରା ରାସ୍ତାରେ ବୁଲୁଥିବା ଗୋରୁଙ୍କ ସଂଖ୍ୟା କମିଛି। ଲୋକମାନେ ସେମାନଙ୍କୁ ନିଜ ଘରେ କିମ୍ବା ଗୋଶାଳାରେ ବାନ୍ଧି ରଖିବା ଆରମ୍ଭ କରି ଦେଇଛନ୍ତି। ଗୋମୂତ୍ର କିଣିବା ଦ୍ୱାରା ଗ୍ରାମାଞ୍ଚଳର ଅର୍ଥନୀତିରେ ଉନ୍ନତି ଆସିବ।

ମୁଖ୍ୟନ୍ତ୍ରୀ ଭୁପେଶ ବଘେଲଙ୍କ ପରାମର୍ଶଦାତା ପ୍ରଦୀପ ଶର୍ମା କହିଛନ୍ତି ଯେ ଏହି ଯୋଜନା ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ପ୍ରତ୍ୟେକ ଜିଲାର ଦୁଇଟି ସ୍ଥାନରୁ ଆରମ୍ଭ ହେବ। ଗୋଶାଳାରୁ ଗୋମୂତ୍ର କ୍ରୟ କରାଯିବ ଏବଂ ଏଥିରୁ ଜୈବ କୀଟନାଶକ ପ୍ରସ୍ତୁତ ହେବ।

Comments are closed.