ଲକ୍ଷ୍ମୀ ବସ୍କୁ ନେଇ ପୁଣି ତେଜିଲା ବିବାଦ, ବସ ଚଳାଚଳ ବନ୍ଦ କରିବାକୁ ଧମକ
ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ । ଆସନ୍ତା ୭ ଓ ୮ ତାରିଖରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ ରଖିବାକୁ ନେଇଛନ୍ତି ନିଷ୍ପତ୍ତି । ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ବସ୍ ଚାଲିଥିଲା । ପ୍ରତିବାଦ ପରେ ବନ୍ଦ ରହିଥିଲା, ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ ।
ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା । ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା । ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ବସ ମାଲିକ ସଂଘ । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକ ମାନେ ଲକ୍ଷ୍ମୀବସ ଚଳାଚଳ ଯୋଜନାକୁ ନେଇ ପୁଣି ଏକଜୁଟ୍ ହୋଇଛନ୍ତି ।ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଗତ ଅଗଷ୍ଟ ମାସ ବିଧାନସଭାରେ ଲକ୍ଷ୍ମୀ ବସ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ ମନ୍ତ୍ରୀ ।
Comments are closed.