ଆପକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ :ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସଂସଦର ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର ବିଲ୍‌ ଆଣିବେ। ଲୋକସଭାରେ ଏହି ବିଲ୍‌କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହଜରେ ପାରିତ କରାଇ ନେବେ। ହେଲେ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହେବ ତ?

ବିଲ୍‌କୁ ରାଜ୍ୟସଭାରେ ମାତ୍‌ ଦେବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସବୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି। କଂଗ୍ରେସ ମଧ୍ୟ ଆପ୍‌କୁ ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ ଘୋଷଣା କରିଛି।

ତେବେ କଂଗ୍ରେସ ରାଜ୍ୟସଭାରେ ଆପ୍‌କୁ ସମର୍ଥନ କରିବାକୁ କହିଥିଲେ ହେଁ କେନ୍ଦ୍ର ସରକାର ବିଲ୍‌ ପାସ୍‌ କରାଇବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏହା ପଛରେ ଉପଯୁକ୍ତ କାରଣ ମଧ୍ୟ ରହିଛି ।

ରାଜ୍ୟସଭାର ସ୍ଥିତି ଦେଖିଲେ ବିଜେପିର ପଲ୍ଲାଭାରୀ ରହିଛି। ନବୀନ ପଟ୍ଟନାୟକଙ୍କ ବିଜେଡି କିମ୍ବା ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ଯଦି କୌଣସି ପ୍ରକାରର ବଡ଼ ନିଷ୍ପତ୍ତି ନ ନିଅନ୍ତି, ତା’ହେଲେ ବିଲ୍‌ ରାଜ୍ୟସଭାରେ ବେଶ ସହଜରେ ପାରିତ ହୋଇଯିବ।

ଆଜି ରାଜ୍ୟସଭାକୁ ବିଜେପିର ୫ ଜଣ ଓ ଟିଏମସିର ୬ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ନାମାଙ୍କନପତ୍ର ପାଇଁ ସମୟ ଶେଷ ହେବା ସହ ଦୁଇ ଦଳ ୧୧ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଛନ୍ତି।

ଏମାନଙ୍କ ବିରୋଧରେ କୌଣସି ଦଳ ପ୍ରାର୍ଥୀ ଦେଇ ନଥିଲେ। ଏବେ କଂଗ୍ରେସ ରାଜ୍ୟସଭାରେ ଗୋଟିଏ ଆସନ ହରାଇଛି। ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୩୦କୁ ଖସିଛି। ବିଜେପିର ସାଂସଦଙ୍କ ସଂଖ୍ୟାରେ ଆଉ ୧ ଯୋଡ଼ି ହୋଇଛି। ଫଳରେ ଦଳର ମୋଟ ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯୩ ଛୁଇଁଛି।

ଜୁଲାଇ ୨୪ ପରେ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ୭ ଆସନ ଖାଲି ପଡ଼ିବ। ଜମ୍ମୁ-କଶ୍ମୀରର ୪ଟି, ୨ ଜଣ ମନୋନୀତ ସଦସ୍ୟଙ୍କ ଆସନ ଓ ଉତ୍ତର ପ୍ରଦେଶରୁ ଗୋଟିଏ ଆସନ ଖାଲି ପଡ଼ିବ।

ଏହାର ଅର୍ଥ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶ ବେଳେ ରାଜ୍ୟସଭାର ଆସନ ସଂଖ୍ୟା ୨୩୮ ରହିଥିବ। ଏଠାରେ କୌଣସି ବିଲ୍‌ ପାସ୍‌ କରିବା ପାଇଁ ୧୨୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ।

ବିଜେପି ଓ ଏହାର ସହଯୋଗୀ ମାନଙ୍କୁ ମିଶାଇଲେ ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୧୦୫। ବିଜେପିକୁ ୫ ଜଣ ମନୋନୀତ ସଦସ୍ୟ ଓ ୨ ଜଣ ସ୍ୱାଧୀନ ସାଂସଦ ସମର୍ଥନ କରିବେ।

Comments are closed.