ଋଷ ପର୍ଯ୍ୟଟକଙ୍କ ମୃତ୍ୟୁନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ମନୀଷ ତିୱାରୀ
ନୂଆଦିଲ୍ଲୀ: ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତନାଘନା ଜାରି ରହିଥିବା ବେଳେ ମାମଲା ଏବେ ଜାତୀୟସ୍ତରରେ ରାଜନୈତିକ ପ୍ରସଙ୍ଗ ପାଲଟିଛି। ସମ୍ପୃକ୍ତ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ସେମାନଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଛନ୍ତି କଂଗ୍ରେସ ସାଂସଦ ମନୀଷ ତିୱାରୀ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦୁଇଜଣ ପର୍ଯ୍ୟଟକଙ୍କ ମୃତ ଦେହହକୁ ଦାହ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି। କିନ୍ତୁ କବର ଦିଆଯାଇ ନାହିଁ। ଉଭୟେ ଖ୍ରୀଷ୍ଟିଆନ୍ ଧର୍ମର। ଖ୍ରୀଷ୍ଟିଆନଙ୍କ ଶବ ଦାହ କରାଯାଇ ସଂସ୍କାର କରାଯାଏନି। କବର ଦିଆଯାଏ। ତେବେ ଏହି ଅନ୍ତିମ ସଂସ୍କାର ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇବା ସହ କାହିଁକି ସେମାନଙ୍କ ମୃତ ଦେହକୁ ରୁଷ ପଠାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ସେ ଏକ ଭିଡିଓ ପୋଷ୍ଟ କରି ଏହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଯୁଦ୍ଧ ସମାଲୋଚକଙ୍କ ଝରକାରୁ ଖସି ମୃତ୍ୟୁ ଘଟୁଛି। ତାପୁଣି ତାଙ୍କ ବନ୍ଧୁଙ୍କ ମୃତ୍ୟୁର ୨ ଦିନ ପରେ।
ସମାନ ହୋଟେଲରେ ମୃତ୍ୟୁ ଘଟୁଛି। ଏହା ଆଶ୍ଚର୍ଯ୍ୟ ଲାଗୁଛି। ଉଭୟଙ୍କର ଏଠାରେ ସଂସ୍କାର କରିଦିଆଯାଉଛି। ଉଭୟ ଖ୍ରୀଷ୍ଟିଆନ ହୋଇଥିବା ସତ୍ୱେ ମୃତଦେହକୁ କବର ଦିଆଗଲାନି। ଏମିତିକି ଉଭୟଙ୍କ ମୃତଦେହକୁ ରୁଷିଆକୁ ପଠାଇବାକୁ ଚେଷ୍ଟା ବି କରାଗଲାନି। ଯଦି ଏତେ ସବୁ କଥା ଅପ୍ରାକୃତିକ ଲାଗୁନି, ତେବେ ମୁଁ ଆଇନ ପାଠ ଛାଡ଼ିଦେବି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କୋଲକାତାରେ ଥିବା ଋଷୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ଋଷ ଦୂତାବାସ ପକ୍ଷରୁ କୁହାଯାଇ ଥିଲା ଯେ, ଓଡିଶା ପୋଲିସକୁ ଦୁଇ ଦିନ ଭିତରେ ରାଜ୍ୟର ଗୋଟିଏ ହୋଟେଲରୁ ଦୁଇ ନାଗରିକଙ୍କ ମୃତଦେହ ମିଳିଛି । ତେବେ କୌଣସି ଅପରାଧିକ ଘଟଣା ନେଇ କୌଣସି ପ୍ରମାଣ ମିଳିପାରିନାହିଁ ।
Comments are closed.