କଂଗ୍ରେସ ଆପ ଝଗଡ଼ା, ଭଙ୍ଗାଯିବ ମେଣ୍ଟ ?
ନୂଆଦିଲ୍ଲୀ: ୨୬ଟି ଦଳକୁ ନେଇ ଗଠନ ହୋଇଥିବା ବିରୋଧୀ ଇଣ୍ଡିଆ ମେଣ୍ଟରେ କଂଗ୍ରେସ ଓ ଆପ୍ ମଧ୍ୟରେ ଛକାପଞ୍ଝା ଚାଲିଛି। କେତେବେଳେ ଉଭୟ ଦଳ ପରସ୍ପର ବିରୋଧରେ ବାହାରୁଛନ୍ତି ତ ଆଉ କେତେବେଳେ ସମର୍ଥନ କରୁଛନ୍ତି। ଏଭଳି ସ୍ଥିତିରେ ଚଳିତ ମାସ ଶେଷରେ ବିରୋଧୀ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ହେବ। ଏହି ବୈଠକରେ ଆପ୍ ଯୋଗ ଦେବା ନେଇ ପୂର୍ବରୁ ସନ୍ଦେହ ରହିଥିଲା। କିନ୍ତୁ ଆପ୍ ଆଜି ଏହି ସନ୍ଦେହକୁ ଦୂର କରିଛି। ମୁମ୍ବାଇ ବୈଠକରେ ଆପ୍ (ଆମ୍ ଆଦ୍ମୀ ପାର୍ଟି) ଯୋଗ ଦେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ପାଟନା ଏବଂ ବେଙ୍ଗାଲୁରୁରେ ହୋଇଥିବା ୨ଟି ବୈଠକରେ ଆପ୍ ଯୋଗ ଦେଇଥିଲା।
ଗତ ସପ୍ତାହରେ ଆପ୍ ମୁମ୍ବାଇ ବୈଠକକୁ ବର୍ଜନ କରିବ ବୋଲି ଧମକ ଦେଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଦିଲ୍ଲୀରେ ସମସ୍ତ ୭ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି ବୋଲି ଦିଲ୍ଲୀର କଂଗ୍ରେସ ନେତା ଅଳକା ଲାମ୍ବା ଟିପ୍ପଣୀ ଦେବାପରେ ଆପ୍ ଏହାକୁ ଜୋରଦାର ବିରୋଧ କରିଥିଲା। କଂଗ୍ରେସ ନେତାଙ୍କ ଟିପ୍ପଣୀ ପାଇଁ ଆପ୍ ମୁମ୍ବାଇ ବୈଠକ ବର୍ଜନ କରିବାର ଧମକ ଦେଇଥିଲା। କିନ୍ତୁ ପରେ କଂଗ୍ରେସ ଦଳ ମୁଖପାତ୍ରଙ୍କ ଟିପ୍ପଣୀଠାରୁ ଦୂରେଇ ରହିଥିଲା ଏବଂ ଏନେଇ ଏକ ସ୍ପଷ୍ଟୀକରଣ ମଧ୍ୟ ଜାରି କରିଥିଲା। ଆପ୍ ଏବଂ କଂଗ୍ରେସ ପରସ୍ପରକୁ ଏମିତି ଖୋଲାଖୋଲି ବିରୋଧ କରିବା ପରେ ମେଣ୍ଟରେ ଏକାଠି ରହିବାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଅବଶ୍ୟ ଆପ୍ କଂଗ୍ରେସକୁ ଧମକ ଦେବା କିଛି ନୂଆ କଥା ନୁହେଁ। ବେଙ୍ଗାଲୁରୁରେ ମେଣ୍ଟର ଦ୍ବିତୀୟ ବୈଠକ ହେବାର ଅବ୍ୟବହିତ ପୂର୍ବରୁ କେଜ୍ରିୱାଲଙ୍କ ଦଳ ଘୋଷଣା କରିଥିଲା ଯେ ଯଦି କଂଗ୍ରେସ ଦିଲ୍ଲୀ ସର୍ଭିସ ବିଲ୍କୁ ବିରୋଧ କରୁଛି ବୋଲି ଖୋଲାଖୋଲି ଘୋଷଣା ନକରିବ ତେବେ ଆପ୍ ବୈଠକରେ ଯୋଗଦେବନି। ଏହାପରେ ମେଣ୍ଟର ସ୍ବାର୍ଥ ଦୃଷ୍ଟିରୁ କଂଗ୍ରେସ ଦିଲ୍ଲୀ ସର୍ଭିସ ବିଲ୍କୁ ବିରୋଧ କରିବ ବୋଲି ଘୋଷଣା କରିଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଆପ୍କୁ କଟାକ୍ଷ କରି କହିଥିଲେ ଯେ ଥରେ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଯିବାପରେ ଆପ୍ ବିରୋଧୀ ମେଣ୍ଟ ଛାଡ଼ିଦେବ।
Comments are closed.