ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମିଳିଲା ଟିକେଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୩ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। କଂଗ୍ରେସ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଲକ୍ଷ୍ମଣ ସାବଦୀଙ୍କୁ ଆଠାନି ଆସନରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ କୋଲାର ଆସନରୁ କୋଥୁରଜୀ ମଞ୍ଜୁନାଥଙ୍କୁ ଟିକେଟ ଦିଆଯାଇଛି। ଏହାପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦୁଇଟି ପର୍ଯ୍ୟାୟରେ ତାଲିକା ପ୍ରକାଶ କରିଥିଲା । ମାର୍ଚ୍ଚ ୨୫ରେ କଂଗ୍ରେସ ୧୨୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ସେହିପରି ୪୨ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ୬ ଏପ୍ରିଲରେ ପ୍ରକାଶ ପାଇଥିଲା | ତୃତୀୟ ତାଲିକା ଅନୁଯାୟୀ ଶ୍ରୀନିବାସ କରିଆନାଙ୍କୁ ଶିମୋଗା ଗ୍ରାମୀଣ ଆସନରୁ ଏବଂ ଶିମୋଗା ଆସନରୁ ଏଚ୍.ସି ଯୋଗେଶଙ୍କୁ ପ୍ରାର୍ଥୀ କରାଯାଇଛି।

ବେଲାରୀରୁ ଦଳ ନାରା ଭାରତ ରେଡ୍ଡୀଙ୍କୁ ଟିକେଟ ଦେଇଛି। ଦଳ ଚିକ୍କାବାଲାପୁର ଆସନରୁ ପ୍ରଦୀପ ଇଶ୍ୱର, ବାଙ୍ଗାଲୋର ଦକ୍ଷିଣରୁ ଆର.କେ ରମେଶ, ହାସନ ଆସନରୁ ବନବାସୀ ରଙ୍ଗସ୍ୱାମୀ ଏବଂ ଚାମରାଜା ଆସନରୁ କେ ହରିଶ ଗୌଡାଙ୍କୁ ପ୍ରାର୍ଥୀ କରାଯାଇଛି। ପିସିସି ସଭାପତି ଡି.କେ ଶିବକୁମାର କନକାପୁରାରୁ ଏବଂ ସିଦ୍ଧରମେୟା ବରୁଣା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ସିଦ୍ଧରମେୟା କୋଲାର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯେଉଁଠାରୁ ଦଳ ବର୍ତ୍ତମାନ କୋଥୁରଜୀ ମଞ୍ଜୁନାଥଙ୍କୁ ଟିକେଟ ଦେଇଛି | ଉଲ୍ଲେଖ ଥାଉ କି ମଙ୍ଗଳବାର ଦିନ ବିଜେପି ୧୮୯ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ଅନ୍ୟପକ୍ଷରେ, ଏପ୍ରିଲ ୧୨ ରେ ବିଜେପି ୨୩ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଥିଲା ।

Comments are closed.