ଭାରତ ଆସିବେ ନାହିଁ ଚୀନ ରାଷ୍ଟ୍ରପତି ?

ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ। ହଠାତ୍‌ ଜିନପିଙ୍ଗ ତାଙ୍କ ଭାରତ ଗସ୍ତ ବାତିଲ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

୨ ଜଣ ଭାରତୀୟ ଅଧିକାରୀ, ଚାଇନାରେ ଅବସ୍ଥାପିତ ଜଣେ କୂଟନୀତିଜ୍ଞ ଓ ଜି-୨୦ ଦେଶରେ କାମ କରୁଥିବା ଜଣେ ଅଧିକାରୀ କହିଛନ୍ତି, ଜିନପିଙ୍ଗ ଭାରତ ଆସିବାର କାର୍ଯ୍ୟକ୍ରମ ନାହିଁ। କିନ୍ତୁ ସେ ଜି-୨୦ରେ ଚାଇନାର ପ୍ରତିନିଧିତ୍ୱ କରିବାର ସମ୍ଭାବନା ରହିଛି।

ଏହାର ଅର୍ଥ ଜିନପିଙ୍ଗ ଭିଡିଓ ଲିଙ୍କରେ ଶିଖର ସମ୍ମିଳନୀରେ ସାମିଲ ହୋଇ ପାରନ୍ତି। ତେବେ ସେ କ’ଣ ପାଇଁ ଭାରତ ଗସ୍ତ ବାତିଲ କରିଛନ୍ତି, ସେକଥା ସ୍ପଷ୍ଟ ହୋଇନି। ସେହିପରି ଭାରତ ଓ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବାକୁ ଥିବାରୁ ଏଠାରେ ତାଙ୍କର ଭେଟଘାଟ ଜିନପିଙ୍ଗଙ୍କ ସହ ହୋଇଥାଆନ୍ତା। ବିଶ୍ୱର ଦୁଇ ସୁପର ପାୱାର ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଜି-୨୦ ସମ୍ମିଳନୀର ଉଭୟ କେମିତି ଆଚରଣ ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତେ ନଜର ରଖିଥିଲେ। ହେଲେ ଜିନପିଙ୍ଗ ଶିଖର ସମ୍ମିଳନୀକୁ ଆସିବେ ନାହିଁ ବୋଲି ଏବେ ଖବର ମିଳିଛି।

Comments are closed.