ଚୀନ ଓ ଋଷି ରାଷ୍ଟ୍ରପତିଙ୍କ ସାକ୍ଷାତକୁ ତାତ୍ସଲ୍ୟ କଲା ଆମେରିକା
ୱାସିଂଟନ୍: କିଛି ବର୍ଷ ହେବ ରୁଷ୍ ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ନିବିଡ଼ତା ମିତ୍ରତା ନୁହେଁ, ‘ଫାଇଦା ପାଇଁ ବିବାହ’ ବୋଲି ରୁଷ୍ରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସାକ୍ଷାତ୍କୁ ବିଦ୍ରୂପ କରି ମଙ୍ଗଳବାର ଦିନ ହ୍ବାଇଟ୍ ହାଉସ୍ କହିଛି।
ହ୍ବାଇଟ୍ ହାଉସ୍ସ୍ଥିତ ‘ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ସ୍’ର ‘ନ୍ୟାସ୍ନାଲ୍ ସିକ୍ୟୁରିଟି କାଉନ୍ସିଲ୍ କୋଅର୍ଡିନେଟର୍’ ଜନ୍ କିର୍ବି ଦୈନିକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଗତ କିଛି ବର୍ଷ ହେବ ଦୁଇ ଦେଶ ନିବିଡ଼ତର ହେଉଥିବା କଥା ଆପଣମାନେ ଜାଣିପାରୁଥିବେ ବୋଲି ମୋର ମନେହେଉଛି। ମୁଁ ଏହାକୁ ମେଣ୍ଟ ବୋଲି କହିବି ନାହିଁ। ଏଇଟା ‘ଫାଇଦା ପାଇଁ ବିବାହ’ ବୋଲି ମୋର ମନେହେଉଛି। ମହାଦେଶ ହେଉ କି ସମଗ୍ର ବିଶ୍ବରେ ଅନ୍ୟତ୍ର ହେଉ, ଆମେରିକା ଓ ‘ନାଟୋ’ର ପ୍ରଭାବକୁ ସମତୁଲ କରିବା ଲାଗି ରାଷ୍ଟ୍ରପତି ସି, ରାଷ୍ଟ୍ରପତି ପୁଟିନ୍ ଏବଂ ରୁଷ୍କୁ ଉପଯୁକ୍ତ ବୋଲି ବିବେଚନା କରୁଛନ୍ତି।
ସେହିପରି, ରାଷ୍ଟ୍ରପତି ପୁଟିନ୍ ମଧ୍ୟ ରାଷ୍ଟ୍ରପତି ସି’ଙ୍କୁ ସମ୍ଭାବ୍ୟ ସମର୍ଥନକାରୀ ବୋଲି ବିଚାର କରୁଛନ୍ତି। କିନ୍ତୁ, ଏ ବ୍ୟକ୍ତିଙ୍କର (ପୁଟିନ୍) ଆନ୍ତର୍ଜାତିକ କ୍ଷେତ୍ରରେ ବେଶୀ ମିତ୍ର ନାହାନ୍ତି। ଯାହା ଅଛି ତାହା ଅତି ନଗଣ୍ୟ। ସେ ଯାହା କରିବାକୁ ଉଦ୍ୟମ କରୁଛନ୍ତି ସେଥିପାଇଁ ସେ ପ୍ରକୃତରେ ରାଷ୍ଟ୍ରପତି ସି’ଙ୍କ ସାହାଯ୍ୟ ଲୋଡୁଛନ୍ତି।
ଭେଟ ପରେ ପୁଟିନ୍-ସି ଦେଇଥିବା ମିଳିତ ବିବୃତିକୁ ଉଦ୍ଦେଶ୍ୟ କରି କିର୍ବି କହିଛନ୍ତି ଯେ, ‘ୟୁଏନ୍ ଚାର୍ଟର୍’ର ଉଦ୍ଦେଶ୍ୟ ଓ ନିୟମାବଳି ପାଳନ କରାଯିବା ଏବଂ ଆନ୍ତର୍ଜାତିକ ଆଇନକୁ ସମ୍ମାନ ଦେବା ଉଚିତ ବୋଲି ଦୁହେଁ ୟୁକ୍ରେନ୍ ପ୍ରସଙ୍ଗ ଉପରେ କହିଛନ୍ତି।
Comments are closed.