ମହିଳା ସଂରକ୍ଷଣ ବିଲକୁ ମିଲା କ୍ୟାବିନେଟ ଅଞ୍ଜୁରି
ନୂଆଦିଲ୍ଲୀ:ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ସଂକ୍ରାନ୍ତ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ସୋମବାର ରାତିରେ ମଞ୍ଜୁରୀ ପ୍ରଦାନ କରିଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ ୯୦ ମିନିଟ୍ର ଆଲୋଚନା ପରେ ଏହି ବହୁ ପ୍ରତୀକ୍ଷିତ ବିଧେୟକକୁ ଅନୁମୋଦନ କରାଯାଇଥିତ୍ବା କୁହାଯାଉଛି। ତେବେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସରକାର ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନ ଥିବାରୁ ମହିଳା ସଂରକ୍ଷଣ ବିଲ୍ ଅନୁମୋଦନକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ସଂସଦରେ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ବୈଠକ ଶେଷ ହେବା ପରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍ ଶାହା, ପୀୟୂଷ ଗୋୟଲ, ପ୍ରହ୍ଲାଦ ଜୋଷୀ, ଏସ୍. ଜୟଶଙ୍କର, ନିର୍ମଳା ସୀତାରାମନ୍, ଧର୍ମେନ୍ଦ୍ର ପ୍ରଧାନ, ନୀତୀନ ଗଡକରୀ ଏବଂ ଅର୍ଜୁନ ରାମ ମେଘଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ଐତିହାସିକ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ପୂର୍ବରୁ କହିଥିଲେ। ଇତିମଧ୍ୟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ନେତୃତ୍ୱରେ ଏକାଧିକ ବୈଠକ ବସିଥିଲା। ସେଥିରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ସରକାର ପୂର୍ବରୁ କୌଣସି ସୂଚନା ଦେଇ ନ ଥିବାରୁ ମହିଳା ସଂରକ୍ଷଣ ବିଲ୍ କିମ୍ବା ‘ଗୋଟିଏ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା।
ସୂଚନା ଦିଆଯାଇପାରେ, ଦେଶର ବ୍ୟବସ୍ଥାପକ ପ୍ରକ୍ରିୟାରେ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ସୁଯୋଗ ଦିଆଯାଇ ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ଦିଗରେ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା। ୧୯୯୬ରୁ ସଂସଦରେ ଏହି ବିଲ୍କୁ ବାରମ୍ବାର ଆଗତ କରାଯାଇଥିଲେ ମଧ୍ୟ ରାଜନୈତିକ ବିରୋଧ ଯୋଗୁ ତାହା ଫଳପ୍ରଦ ହୋଇପାରି ନ ଥିଲା। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଦଳମତ ନିର୍ବିଶେଷରେ ମହିଳା ସଂରକ୍ଷଣ ବିଲ୍ ଆଣିବା ଲାଗି ଦାବି ହୋଇଥିଲା। ସମର୍ଥକମାନଙ୍କ ଯୁକ୍ତି ହେଉଛି ଯେ, ଲିଙ୍ଗଗତ ସମାନତାକୁ ବଜାୟ ରଖିବା ସହ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଏହା ସହାୟକ ହୋଇପାରିବ। କ୍ୟାବିନେଟରେ ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ମିଳିବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳୀୟ ଏମ୍ପିମାନଙ୍କୁ ଭେଟିଛନ୍ତି। କଂଗ୍ରେସ ମୁଖପାତ୍ର ଜୟରାମ ରମେଶ କ୍ୟାବିନେଟ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସର୍ବପୁରାତନ ଦଳର ଏହା ଦୀର୍ଘଦିନର ଦାବି ଥିଲା ବୋଲି ସେ କହିଛନ୍ତି।
Comments are closed.