୪ଜିଲ୍ଲାକୁ ମନରେଗା ଅତିରିକ୍ତ ସହାୟତା
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଆଜିର ବୈଠକରେ ଦାଦନ ପ୍ରବଣ ୪ଟି ଜିଲ୍ଲାର ୨୦ଟି ବ୍ଲକୁ ମନରେଗା ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ମନରେଗା ଯୋଜନାରେ ରାଜ୍ୟ ସହାୟତାକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଣିକି ୨୦ଟି ବ୍ଲକର ମନରେଗା ଶ୍ରମିକଙ୍କୁ ଅତିରିକ୍ତ ମଜୁରୀ ପ୍ରଦାନ କରାଯିବ । ୨୦ ବ୍ଲକର ଶ୍ରମିକଙ୍କୁ ସର୍ବନିମ୍ନ ୧୦୦ ଦିନ ସହ ଅତିରିକ୍ତ ୨ଶହ ଦିନ କାମ ମିଳିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଏହାଛଡ଼ା ବୈଠକରେ ରାଜ୍ୟ ସରକାରଙ୍କ ଆଇଟି ପଲିସିକୁ ଅନୁମୋଦନ ମିଳିଛି । ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ବି ଘୋଷଣା କରାଯାଇଛି । ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ । ଭିତ୍ତିଭୂମିରେ ସ୍ଥାୟୀ ନିବେଶର ୩୦ ପ୍ରତିଶତ ଯୋଗ୍ୟ ଆଇଟି ସଂସ୍ଥାକୁ ରିହାତିରେ ଦିଆଯିବ । ଗ୍ରୀନଫିଲ୍ଡ ଆଇଟି ପାର୍କକୁ ଜମିକ୍ରୟ ଷ୍ଟାମ୍ପ ଡୁ୍ୟଟି ଓ ମୁ୍ୟଟେସନ ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଉଦ୍ୟୋଗୀଙ୍କୁ ବୈଦୁ୍ୟତିକ ଯାଞ୍ଚ ଶୁଳ୍କ ୫ ବର୍ଷ ଯାଏଁ ଛାଡ଼ କରାଯାଇଛି । ସେହିପରି ବିଦୁ୍ୟତ ବିଲ ୩୦% ରିହାତି ଘୋଷଣା କରାଯାଇଛି ।
ସେହିପରି ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ବାସେଳିସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଅବଢା ଯୋଜନାରେ ଧର୍ମଶାଳା ପ୍ରକଳ୍ପ ହେବ । ୧୩୫ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଧର୍ମଶାଳା ପ୍ରକଳ୍ପ ନିର୍ମାଣ ହେବ । ଏନେଇ ମେସର୍ସ ଶ୍ରୀଜିକୃପା ସଂସ୍ଥାକୁ ଟେଣ୍ଡର ମିଳିଛି । ୨୪ ମାସରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।
ଅନ୍ୟପକ୍ଷରେ ୨ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ ଓ କୋରାପୁଟର ୩୧ ପଞ୍ଚାୟତକୁ ପାଣି ମିଳିବ । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ୭ ଓ କୋଲନାରା ବ୍ଲକରର ୮ ପଞ୍ଚାୟତ ଏବଂ କୋରାପୁଟର ଜିଲ୍ଲା ଜୟପୁର ବ୍ଲକର ୧୫ ଓ କୁନ୍ଦ୍ରା ବ୍ଲକର ୧୬ ପଞ୍ଚାୟତକୁ ପାଣି ମିଳିବ ।
Comments are closed.