କରୋନା କାଳରେ ସ୍ୱାସ୍ଥ୍ୟ, ରେଳ, ଶିକ୍ଷା ଓ ବ୍ୟାଙ୍କ ପାଇଁ କ’ଣ ରହିଛି କେନ୍ଦ୍ର ବଜେଟ୍?

ନୂଆଦିଲ୍ଲୀ, ୧ା୨ : ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ପିଏମ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ, ‘ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ବଜେଟ୍ ରହିଛି । ଗତ ବଜେଟ ଠାରୁ ଏହା ୧୩୭% ଅଧିକ । ୬ ବର୍ଷରେ ଭିତ୍ତିିଭୂମିରେ ବିକାଶ ହେବ । ପିଏମ ଆତ୍ମନିର୍ଭର ସୁସ୍ଥ ଭାରତ ପାଇଁ ୬୪,୧୮୦ କୋଟି ନିବେଶ କରାଯିବ । ମିଶନ ପୋଷଣ-୨.୦ର ଆରମ୍ଭ କରାଯିବ । ୧୭ ନୂଆ ହେଲ୍ଥ ସେଣ୍ଟର ଖୋଲାଯିବ । ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ପ୍ରୟୋଗଶାଳା ହେବ । ୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟାବସ୍ଥାରେ ସୁଧାର ହେବ । କୋଭିଡ ଟିକା ପାଇଁ ୩୫,୦୦୦ କୋଟି ଟଙ୍କା ନିବେଶ କରାଯିବ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ୱାଲ୍ଡ ହେଲ୍ଥ ପ୍ରତିଷ୍ଠା କରାଯିବ । ପୂରା ଦେଶରେ ୭୫ ହଜାର ହେଲଥ ସେଣ୍ଟର ପ୍ରତିଷ୍ଠା କରାଯିବ । ୬୦୨ ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ହେବ । ୪ ନ୍ୟାସନାଲ ଇନଷ୍ଟୁଚ୍ୟୁଟ ଅଫ ଭାୟରୋଲୋଜି ପ୍ରତିଷ୍ଠା ହେବ ।’

ରେଳ ଯୋଜନା
କେନ୍ଦ୍ର ବଜେଟରେ ୨୦୩୦ ଯାଏଁ ରେଳବାଇ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ରେଳବାଇ ପାଇଁ ୧ ,୧୦.୦୫୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପର୍ଯ୍ୟଟକ ରୁଟ୍ ପାଇଁ ରେଳବାଇ ନୂଆ ପ୍ଲାନ ପ୍ରସ୍ତୁତ କରିଛି । ଆଉ କିଛି ସହରରେ ଆରମ୍ଭ ହେବ ମେଟ୍ରୋ ପ୍ରୋଜେକ୍ଟ । ଦୁଇ ପ୍ରକାର ମେଟ୍ରୋ ଯଥା- ୧) ମେଟ୍ରୋ ଲାଇଟ୍ ଓ ୨) ମୋଟ୍ରୋ ନିୟୋ ରହିବ । ବିଦ୍ୟୁତ ଚାଳିତ ଟ୍ରେନ ୭୨% ବଢିବ । ରେଳବାଇରେ ମେକ୍ ଇନ୍ ଇଣ୍ଡିଆ ଉପରେ ଗୁରୁତ୍ୱ ଦିଆଯାଇଛି । ଫ୍ୟୁଚର ରେଡି ରେଲ ସିଷ୍ଟମ ତିଆରି କରିବାର ଲକ୍ଷ୍ୟ ରହିଛି ।’

ଏହା ସହ ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସମ୍ପୂର୍ଣ୍ଣ କରାଯିବ । ଆଉ ୩ଟି ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା କରାଯାଇଛି । ହାୱାଡାରୁ ବିଜୱାଡା ମଧ୍ୟରେ ଇଷ୍ଟକୋଷ୍ଟ କରିଡର ତିଆରି ହେବ । ଇଷ୍ଟ-ୱେଷ୍ଟ କରିଡର ଓ ନର୍ଥ-ସାଉଥ କରିଡର ପାଇଁ ମଧ୍ୟ ଘୋଷଣା କରାଯାଇଛି । ୨୭ଟି ସହରରେ ଆଉ ୧୦୬୦ କିମି ମେଟ୍ରୋ ଲାଇନ ହେବ । ବେଙ୍ଗାଲୁରୁ ଓ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ । ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା ହୋଇଛି । ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ ଘୋଷଣା କରାଯାଇଛି । କାହାଠାରୁ ବିଦ୍ୟୁତ ଆଣିବେ, ଏବେ ତାହା ଉପଭୋକ୍ତାମାନେ ସ୍ଥିର କରିବେ ।

ଶିକ୍ଷା
ବଜେଟରେ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ନୂଆ ନୀତି ପ୍ରଣୟନ କରାଯାଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଥିବା ଆଦିବାସୀ ଅଞ୍ଚଳମାନଙ୍କରେ ୭୫୦ଟି ଏକଲବ୍ୟ ମଡେଲ ସ୍କୁଲ, ଦେଶରେ ୧୦୦ରୁ ଅଧିକ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ତେବେ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପରେ ସୈନିକ ସ୍କୁଲ ପ୍ରତିଷ୍ଠା ହେବ ବୋଲି କୁହାଯାଇଛି । ଲେହରେ ଏକ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବାକୁ ସ୍ଥିର କରାଯାଇଛି । ଏଥିସହ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ୧୫ ହଜାର ନୂଆ ସ୍କୁଲ ଖୋଲିବା ସହ ଉନ୍ନୀତିକରଣ କରାଯିବ ବୋଲି ଘୋଷଣା କରାଯାଇଛି ।

ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲରେ ଜନଗଣନା କାର୍ଯ୍ୟ କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଜଗଣନା କାର୍ଯ୍ୟ ପାଇଁ ୩୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବା ସହ ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନର ଆରମ୍ଭ କରାଯିବ । ଦେଶରେ ଉଚ୍ଚଶିକ୍ଷା କମିଶନ ଗଠନ କରାଯିବା ସହ ଚଳିତ ବର୍ଷରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ବ୍ୟାଙ୍କ ପାଇଁ ଘୋଷଣା
୨୦୨୧-୨୨ ଆର୍ଥିକ ବଜେଟରେ ବ୍ୟାଙ୍କ ପାଇଁ ବିଭିନ୍ନ ଘୋଷଣାମାନ କରିଛନ୍ତି ସୀତାରମଣ । ବୀମା କ୍ଷେତ୍ରରେ ୭୪ ପ୍ରତିଶତ ଏଫଡିଆଇକୁ ମଞ୍ଜୁରି ମିଳିଛି । ବୀମା କ୍ଷେତ୍ରରେ ଏଫଡିଆଇ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସରକାରୀ ବ୍ୟାଙ୍କ ପାଇଁ ୨୦ ହଜାର କୋଟି ଟଙ୍କା ରହିଛି । ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରାଯିବ । ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଆସିବ । ଛୋଟ କମ୍ପାନିଙ୍କ ପାଇଁ ପେଡ୍ ଅଫ୍ କ୍ୟାପିଟାଲ ସୀମା ବଢିଛି । ବିନିବେଶ ପାଇଁ ଆଇନର ସଂଶୋଧନ ହେବ । ଏମଏସଏମଇ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି ।

ଏହା ସହ ଜିଏସଟି ସଂଗ୍ରହରେ ରେକର୍ଡ ହୋଇଛି । ଟ୍ୟାକ୍ସ ଅଡିଟ୍ ଲିମିଟ୍ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି ପାଇଛି । ଏଫସିଆଇକୁ ମିଳୁଥିବା ଏନଏସଏସଏଫ ଲୋନ୍ ବନ୍ଦ କରାଯାଇଛି । ସମସ୍ତଙ୍କ ପାଇଁ ଆବାସ ଗୃହକୁ ପ୍ରାଥମିକତା ଦିଆଯାଇଛି । ଶସ୍ତା ଘର ପାଇଁ ଋଣ ଅବଧି ବର୍ଷେ ପର୍ଯ୍ୟନ୍ତ ବଢିଛି ।

Comments are closed.