ସମ୍ପତ୍ତି ପାଇଁ ତୁଚ୍ଛ ହେଲା ଭାଇ-ଭାଇ ସମ୍ପର୍କ

ଖଲ୍ଲିକୋଟ : ଜମିବାଡ଼ି ବିବାଦକୁ ନେଇ ଭାଇକୁ ଗୁଳି ମାରିଲା ଭାଇ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗାଁରେ ଘଟିଛି ଏହି ଘଟଣା।

ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ବୀରେନ ଦଳେଇ (୨୩)। ଅଭିଯୁକ୍ତର ନାଁ ସୁରଥ ଦଳେଇ ଓରଫ ବାବୁ। ବାବୁ ହେଉଛି ବୀରେନଙ୍କ ଦାଦାପୁଅ ଭାଇ। ବାବୁ ବୟସରେ ବୀରେନ ଠାରୁ ବଡ଼।

ବୀରେନ ଘରେ ଶୋଇଥିବା ବେଳେ ବାବୁ ତାଙ୍କ ଉପରକୁ ଗୁଳି କରିଥିଲା। ବୀରେନଙ୍କ ଶରୀରରେ ୪ଟି ଗୁଳି ବାଜିଥିଲା। ଦୁଇଟି ହାତରେ ବାଜିଥିବା ବେଳେ ଗୋଟିଏ ଛାତିରେ ଓ ଗୋଟିଏ ଜଙ୍ଘରେ ବାଜିଥିଲା।

ବୀରେନଙ୍କୁ ସଙ୍ଗେ ସଙ୍ଗେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହାତରେ ବାଜିଥିବା ଦୁଇଟି ଗୁଳିକୁ ସେଠାରେ ବାହାର କରାଯାଇଥିଲା। ତା’ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶେଷ ଖବର ମିଳିବା ସୁଦ୍ଧା ବୀରେନଙ୍କ ଅବସ୍ଥା ସ୍ଥିର ରହିଛି।

ଏହି କାଣ୍ଡ ଘଟାଇ ସୁରଥ ଦଳେଇ ଓରଫ ବାବୁ ଫେରାର ହୋଇଯାଇ. kଥିବା ବେଳେ ପୁଲିସ୍ ତା’ ବାପାମା’ଙ୍କୁ ଅଟକ ରଖିଛି ଏବଂ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ବୀରେନଙ୍କ ବାପା ଓ ବାବୁଙ୍କ ବାପାଙ୍କ ମଧ୍ୟରେ ବର୍ଷେ ହେଲାଣି ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ଏ ଭିତରେ ଉଭୟ ପରିବାର ମଧ୍ୟରେ ଅନେକ ଥର କଳିଝଗଡ଼ା ହୋଇଛି। ଏହି ବିବାଦକୁ ନେଇ ରାଗ ରଖି ବୀରେନଙ୍କୁ ଗୁଳି କରିଛି ବାବୁ।

Comments are closed.