ବୟସ ହେଲାଣି ଏବେ ଆର୍ଶୀବାଦ ଦିଅନ୍ତୁ; ଅଜିତ ପାୱାର
ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଚାଲିଥିବା ସଂକଟ ଦିନକୁ ଦିନ ଅଧିକ ଗଭୀର ହେଉଛି । ଉଭୟ ଅଜିତ ପାଓ୍ବାର ଓ ଶରଦ ପାଓ୍ବାର ଗୋଷ୍ଠୀ ନିଜକୁ ପ୍ରକୃତ ଏନସିପି ବୋଲି ଦାବି କରୁଛନ୍ତି । କିନ୍ତୁ ବୁଧବାରର ଘଟଣାକ୍ରମରୁ ଜଣାପଡ଼ିଛି ଯେ ଅଜିତ ଗୋଷ୍ଠୀ ଦିନକୁ ଦିନ ସୁଦୃଢ ହେଉଛି ।
ବୁଧବାର ଦୁଇ ଗୋଷ୍ଠୀ ଅଲଗା ଅଲଗା ବୈଠକ ଡାକିଥିଲେ। ଅଜିତ ପାୱାରଙ୍କ ବୈଠକରେ ଏନସିପିର ମୋଟ ୫୩ ବିଧାୟକଙ୍କ ମଧ୍ୟରୁ ୩୧ ବିଧାୟକ ଓ ୪ ଏମଏଲସି ଯୋଗ ଦେଇଥିଲେ। ସେପଟେ ଏଥିସହିତ ୱାଇ.ବି. ଚୱନ କେନ୍ଦ୍ରରେ ଚାଲିଥିବା ଶରଦ ପାୱାର ଗୋଷ୍ଠୀର ବୈଠକରେ ମାତ୍ର ୧୩ ଜଣ ବିଧାୟକ ଏବଂ ୪ ଜଣ ସାଂସଦ ଯୋଗ ଦେଇଥିଲେ। ଏନସିପିର ମୋଟ ୫୩ ଜଣ ବିଧାୟକ ଅଛନ୍ତି । ଏଭଳି ସ୍ଥିତିରେ ୯ ଜଣ ବିଧାୟକ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀରେ ସାମିଲ ହୋଇନାହାନ୍ତି।
ଅନ୍ୟପକ୍ଷରେ ଅଜିତ ପାୱାର ଗୋଷ୍ଠୀର ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଶରଦ ପାୱାରଙ୍କ ସ୍ଥାନରେ ଅଜିତ ପାୱାରଙ୍କୁ ଏନସିପିର ସଭାପତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଜିତ ଗୋଷ୍ଠୀ ମଧ୍ୟ ଏନସିପିର ଚିହ୍ନ ଘଡ଼ି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି । ନିର୍ବାଚନ କମିସନଙ୍କୁ ସୂଚୀତ କରାଯାଇଛି ଯେ, ଜୁନ୍ ୩୦ରେ ମୁମ୍ବାଇରେ ଅନୁଷ୍ଠିତ ଏନସିପିର କାର୍ଯ୍ୟକାରିଣୀ ବୈଠକରେ ଅଜିତ ପାୱାରଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।
ଆଜିର ବୈଠକବେଳେ ଅଜିତ କହିଥିଲେ ଯେ ସବୁ କାମର ଅବସର ସୀମା ଥାଏ । ଚାକିରି କଲେ ୬୦ ବର୍ଷରେ ଅବସର ନିଆଯାଏ । ସେହିପରି ବିଜେପିରେ ୭୫ ବର୍ଷରେ ରାଜନୀତିରୁ ଅବସର ନିଆଯାଏ । କିନ୍ତୁ ୮୨ ବର୍ଷ ହେଲେ ବି ଶରଦ ପାଓ୍ବାର ଅବସର ନେଉନାହାନ୍ତି । ଏବେ ସେ ଅବସର ନିଅନ୍ତୁ ଓ ଆମକୁ ଆଶୀର୍ବାଦ ଦିଅନ୍ତୁ ।
Comments are closed.