ତେଲେଙ୍ଗାନା ପାଇଁ ରଣନୀତି ପ୍ରସ୍ତୁତିରେ ବିଜେପି

0

ହାଇଦ୍ରାବାଦ : ତେଲେଙ୍ଗାନାରେ ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ଅଛି। କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ରାଜ୍ୟରେ ଆଗୁଆ ନିର୍ବାଚନ ଯୋଜନା କରିଛନ୍ତି। କେସିଆରଙ୍କ ବିଆରଏସ୍‌( ଭାରତ ରାଷ୍ଟ୍ର ସମିତି) ସହ ଲଢ଼ିବାପାଇଁ ବିଜେପି ପ୍ରସ୍ତୁତି ହେବା ପୂର୍ବରୁ କେସିଆର ରାଜ୍ୟରେ ଆଗୁଆ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।‌ ବିଜେପିର କିଛି ବରିଷ୍ଠ ନେତା ଏହି ସୂଚନା ପାଇବା ପରେ ବିଜେପି ତେଲେଙ୍ଗାନା ପାଇଁ ଏହାର ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଇଛି। ବିଜେପି ସଭାପତି ଜେପି ନଡ୍ଡାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଜି ବିଜେପି କୋର୍‌ ଗ୍ରୁପ୍‌ର ସମୀକ୍ଷା ବୈଠକ ହୋଇଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବାପାଇଁ ଏହି ବୈଠକ ହୋଇଛି।

ଅନ୍ୟପକ୍ଷେ ତେଲେଙ୍ଗାନା ଏବଂ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତେଲେଙ୍ଗାନାର ଶୀର୍ଷ ବିଜେପି ନେତାମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବିଜେପି ତେଲେଙ୍ଗାନା ବିଜେପି ସଭାପତି ବନ୍ଦି ସଂଜୟ, ରାଜ୍ୟ ପ୍ରଭାରୀ ତରୁଣ ଚୁଗ, ବିଜେପି ଜାତୀୟ ଉପସଭାପତି ଡିକେ ଅରୁଣ, ବିଜେପିର ଜାତୀୟ ସାଧାରଣ ସଂପାଦକ ସୁନୀଲ ବନସଲ ଏବଂ ଅନ୍ୟମ‌ାନେ ବୈଠକରେ ଯୋଗ ଦେଇଛନ୍ତି। କେସିଆର ସରକାରରେ ବିଭିନ୍ନ ପ୍ରସଙ୍ଗ ଏବଂ ଦକ୍ଷିଣ ରାଜ୍ୟରେ ତୃଣମୂଳ ସ୍ତରରେ ନିର୍ବାଚନ ଲଢ଼ିବାପାଇଁ ଦଳର ରଣନୀତି ସଂକ୍ରାନ୍ତରେ‌ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। କୋର୍‌ କମିଟି ବୈଠକ ପୂର୍ବରୁ ଆଜି ଶାହ, ନଡ୍ଡା ଏବଂ ଚୁଗ ୪୦ ମିନିଟ୍‌ ପାଇଁ ପୃଥକ୍‌ ବୈଠକ କରିଛନ୍ତି।
ବିଜେପିର ଶୀର୍ଷ ନେତାମାନେ ତେଲେଙ୍ଗାନାର ସମସ୍ତ ୧୧୯ ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ରୢାଲି ଏବଂ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିବେ।

ବିଜେପି ଏହାର ତେଲେଙ୍ଗାନା ପ୍ରଚାରର ନାମ ରଖିଛି, ‘ ପ୍ରଜା ଗୋସା, ବିଜେପି ଭରୋସା’। ୧୧୯ ବିଧାନସଭା ଆସନରେ ରୢାଲି କରିବା ବା‌ଦ୍‌ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନୀଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ତେଲେଙ୍ଗାନାରେ ୧୦ଟି ବଡ଼ ରୢାଲି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ମାସ ପରେ ହାଇଦ୍ରାବାଦରେ ଉଦ୍‌ଯାପନୀ ରୢାଲି କରିବେ।

Leave A Reply

Your email address will not be published.