ବିଜେପି ଉପରେ ବର୍ଷିଲା ବିଜେଡି

ଓଡ଼ିଶାରେ ପରାଜୟ ହେବାକୁ ଯାଉଥିବା ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ଓଡ଼ିଶା ଭାଜପା ନେତାଙ୍କ ଅଭ୍ୟାସ। ସାଧାରଣ ନିର୍ବାଚନ ୨୦୧୯ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ତାହା କରିଥିଲେ। ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା ଭାଜପା ପୁନର୍ବାର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ନୂଆ କଥା ନୁହେଁ। ସୋମବାର ଶଙ୍ଖ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର ଏହା କହିଛନ୍ତି। ୨୦୨୪ ନିର୍ବାଚନରେ ସେମାନେ ତଳକୁ ଖସି ଆସିବା ସହିତ ବିଡିଓ, ତହସିଲଦାର, ପୋଲିସ ଡିଏସ୍‌ପି ଏବଂ ପୋଲିସ ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି)ଙ୍କ ଭଳି ସରକାରୀ ଅଧିକାରୀଙ୍କୁ ଫୋନ୍‌ କରି ଧମକ ଦେବା ଆରମ୍ଭ କରିଛନ୍ତି ା ଏହି ନିର୍ବାଚନରେ ଓଡ଼ିଶା ଭାଜପାକୁ ସମର୍ଥନ କରନ୍ତୁ ନଚେତ୍‌ ବଦଳି ଓ ଅନ୍ୟାନ୍ୟ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତୁ ବୋଲି ଭାଜପା ନେତାମାନେ ଧମକ ଦେଉଥିବା ସସ୍ମିତ ଅଭିଯୋଗ କରିଛନ୍ତି।

ସଂକ୍ରାନ୍ତରେ ସୋମବାର ସକାଳେ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ପିଟିଶନ୍‌ ଦାଖଲ କରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ନକଲ ପ୍ରଦାନ କରାଯାଇଛି। ଓଡ଼ିଶାର ୬ ଆଇପିଏସ୍‌ ଓ ୨ ଆଇଏଏସ୍‌ ଅଫିସରଙ୍କୁ ନିର୍ବାଚନ କମିଶନ ବଦଳି କରିଛନ୍ତି ବୋଲି ବିଜେଡି ଆବେଦନରେ ଦର୍ଶାଇଛି ା ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତି ବିଜେଡିର ସମ୍ମାନ ରହିଛି ।

ତେବେ ଓଡ଼ିଶା ଭାଜପାର ପ୍ରାର୍ଥୀ ଓ ନେତାମାନେ ବଦଳିକୁ ଉଦାହରଣ ଭାବେ ବ୍ୟବହାର କରି ନିର୍ବାଚନ ଡ୍ୟୁଟିରେ ଥିବା ଓଡ଼ିଶା ଅଧିକାରୀଙ୍କୁ ଫୋନ୍‌ କରି ଧମକ ଦେଉଛନ୍ତି। ଯଦି ଏହି ଅଧିକାରୀମାନେ ଭାଜପାକୁ ସମର୍ଥନ ନ କରନ୍ତି, ତେବେ ପୂର୍ବ ଭଳି ନିର୍ବାଚନ ଆୟୋଗଙ୍କ ନିକଟରେ ମିଥ୍ୟା ଅଭିଯୋଗ କରି ସେମାନଙ୍କ ବଦଳି ସୁନିଶ୍ଚିତ କରିବେ ବୋଲି ଧମକ ଦେଉଛନ୍ତି ା

ଏହା କେବଳ ଚଳିତ ନିର୍ବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣବିଧିର ଘୋର ଉଲ୍ଲଂଘନ ନୁହେଁ ବରଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଧମକ ଦେବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ବେଆଇନ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରିବା ମଧ୍ୟ ଅପରାଧ ା ଏପରି କରି ଓଡ଼ିଶାର ଏହି ନେତା ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ନିର୍ବାଚନ ବ୍ୟବସ୍ଥାକୁ ଖରାପ କରୁଛନ୍ତି ା ଏହି ପ୍ରସଙ୍ଗରେ ଆବଶ୍ୟକ ଧ୍ୟାନ ଦେଇ ନିର୍ବାଚନ ଆୟୋଗ ଓଡ଼ିଶାରେ ଏକ ମୁକ୍ତ, ନିରପେକ୍ଷ, ସ୍ବଚ୍ଛ ଏବଂ ସୁସ୍ଥ ନିର୍ବାଚନ କରିବାକୁ ସୁନିଶ୍ଚିତ କରନ୍ତୁ ବୋଲି ସସ୍ମିତ କହିଛନ୍ତି ା

Comments are closed.