ଭରତପୁର ଥାନା ଘଟଣା: ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଛି ।
ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆଇନର ଶାସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଆସିଛନ୍ତି। ଏହାସହିତ ଭାରତୀୟ ସେନା ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମାନ ରହିଛି । ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣଭାବେ ଯତ୍ନବାନ ଅଛନ୍ତି। ଏହି ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ମାନଙ୍କୁ ନିଲମ୍ବିତ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କେସ୍ ମଧ୍ୟ କରାଯାଇଛି । ଘଟଣାରେ ସଂପୃକ୍ତ ଯୁବକ ମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଆଇନ ଅନୁଯାୟୀ ଦେଷୀସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି।
Comments are closed.