ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ । ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’ । ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ ହୋଇଛି । ସିନେମାରେ ତିନିଟି ଗୀତ ରହିଥିବା ବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ । ପ୍ରଶାନ୍ତ ପାଢ଼ୀଙ୍କ ବଳିଷ୍ଠ ସଂଗୀତ ନିର୍ଦ୍ଦେଶନାରେ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ, ସୋହିନୀ ମିଶ୍ର, ତାରିକ ଅଜିଜ ଓ ସ୍ୱସ୍ତିକ ପ୍ରମୁଖ କଣ୍ଠଦାନ କରିଛନ୍ତି ।

ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର ହେଉଛି ‘ପାରି କରିବେ ଭୋଳା ଶଙ୍କର’ । ଗାଁର କାହାଣୀକୁ ନେଇ ଆଗେଇଛି ସିନେମା । ନାୟକ ଶଙ୍କର ଉପରେ ରହିଛି ମହାଦେବଙ୍କ ଆଶୀର୍ବାଦ । ପ୍ରତ୍ୟେକ ସୋମବାରରେ ନାୟକ ଶଙ୍କର ଅଦ୍ଭୁତ ଐଶ୍ୱରୀୟ ଶକ୍ତି ପ୍ରାପ୍ତ ହୁଏ । ଯାହା ସାଧାରଣ ମଣିଷ ଭାବିପାରେନି ତାହା ସେ କରିପାରେ । ତେଣୁ ଗାଁର ଛୋଟ ଠୁ ବଡ ସମସ୍ତଙ୍କର ଶଙ୍କର ଅତି ଆପଣାର । ତେବେ ଶଙ୍କରର ଲୋକପ୍ରିୟତାକୁ ସହିପାରନ୍ତିନି ଗାଁ ଜମିଦାର ଅବିନାଶବାବୁ । ଶଙ୍କରର ବିନାଶ ପାଇଁ ଜମିଦାର ଉପାୟ ଚିନ୍ତା କରନ୍ତି । ଜମିଦାରଙ୍କ ଝିଅ ପ୍ରତ୍ନତତ୍ତ୍ୱ ଗବେଷଣାରତ ଥିବା ବେଳେ ସେଇ ଆଳରେ ଗାଁ ମନ୍ଦିର ଜମି ହଡପ କରିବାକୁ ଜମିଦାର ଅବିନାଶ ବାବୁ ଚେଷ୍ଟା କରନ୍ତି । ଯେଉଁଥିରେ ବାଧକ ସାଜେ ଶଙ୍କର । ତେବେ ରୋମାଞ୍ଚ କର କାହାଣୀକୁ ନେଇ ଆଗକୁ ସିନେମା ଗତିଶୀଳ । ଅନ୍ୟାୟର ଆୟୁଷ କେତେ ଓ ଅବିନାଶ – ଶଙ୍କରର ଛକାପଞ୍ଝାର ପରିଣତି କଣ ହେବ ତାହା ସିନେମା ଦେଖିଲେ ଜାଣିହେବ ।

ପାରି କରିବେ ଭୋଳା ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଅଜୟ ରାଉତ ପ୍ରଯୋଜନା କରିଥିବା ବେଳେ କାହାଣୀକାର ଅଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଆସନ୍ତା ନଭେମ୍ବର ୬ ତାରିଖ ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ତଥା ବଡଓଷା ଅବସରରେ ସଂଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ‘ପାରି କରିବେ ଭୋଳା ଶଙ୍କର’ ଦେଖିପାରିବେ ।

Comments are closed.