ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାନସଭାରେ ଆଜି କଂଗ୍ରେସ ଓ ବିଜେପି ସଦସ୍ୟମାନେ ମୁହାଁମୁହିଁ ହୋଇଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦିନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ପ୍ରକାଶ ଯେ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ନାରାବାଜି କରିଥିଲେ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ତେବେ କଂଗ୍ରେସ ସଦସ୍ୟମାନେ ବି ବିଜେପି ସଦସ୍ୟଙ୍କୁ ବିରୋଧ କରି ନାରାବାଜି କରିଥିଲେ ।
ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟ ନେଇ ବିଜେପି ସଦସ୍ୟ ହୋହାଲ୍ଲା କରିଥିଲେ । ଏହି ଅବସରରେ ବିଜେପି ପକ୍ଷରୁ ଅଜୟ କୁମାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ କୁହାଯାଇଥିଲା । ତେବେ ଅଜୟ କୁମାର ଗୃହର ସଦସ୍ୟ ହୋଇନଥିବାରୁ ନରସିଂହ ମିଶ୍ର ଏହାକୁ ବିରୋଧ କରିଥିଲେ । ନରସିଂହଙ୍କ ମନ୍ତବ୍ୟ ନେଇ ବିଜେପି ସଦସ୍ୟ ହୋହାଲ୍ଲା କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦିନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଜାଣନ୍ତୁ କ’ଣ କହିଛନ୍ତି ଅଜୟ କୁମାର:
ଅଜୟ କୁମାର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ ।ମୋଦୀ ସରକାର କେବଳ ପ୍ରତୀକ ଦ୍ବାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି , କିନ୍ତୁ ସେ କ’ଣ କରିଛନ୍ତି । ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ । ହାଥରାସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି ସେ କହିଛନ୍ତି ।
Comments are closed.