ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୨ ପାଇଲଟ ମୃତ
ଇଟାନଗର : ଅରୁଣାଚଳ ପ୍ରଦେଶରେ ଗୁରୁବାର ଦିନ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ ପାଇଲଟଦ୍ବୟ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭିଭିବି ରେଡ୍ଡି ଏବଂ ମେଜର ଜୟନ୍ତ ଏ। ହେଲିକପ୍ଟରଟି ସକାଳ ୯ଟାରେ ଆସାମର ସୋନିତପୁର ଜିଲ୍ଲା ଅଧୀନ ମିସାମାରିରୁ ଅରୁଣାଚଳ ପ୍ରଦେଶର ତୱାଙ୍ଗକୁ ଏକ ଅପରେସନରେ ଉଡ଼ାଣ କରିଥିଲା। ମିସାମାରିକୁ ଫେରିବା ସମୟରେ ପ୍ରତିକୂଳ ପାଗର ସମ୍ମୁଖୀନ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ୯ଟା ୧୫ ବେଳକୁ ଚିତା ହେଲିକପ୍ଟର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ସହିତ ଯୋଗାଯୋଗ ହରାଇଥିଲା ବୋଲି ଗୌହାଟିସ୍ଥିତ ପ୍ରତିରକ୍ଷା ବିଭାଗର ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ ସୂଚନା ଦେଇଥିଲେ। ବମଡିଲାର ପଶ୍ଚିମରେ ମଣ୍ଡଳ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଅରୁଣାଚଳ ପ୍ରଦେଶ ପୁଲିସର ସୂଚନା ଅନୁଯାୟୀ, ଦିରଙ୍ଗ ଥାନା ଅଧୀନ ବଙ୍ଗଜଲେପ ଠାରେ ଗ୍ରାମବାସୀମାନେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ବେଳକୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଦେଖିଥିଲେ। ସେହି ସମୟରେ ହେଲିକପ୍ଟର ଜଳୁଥିଲା। ସେ ସ୍ଥାନରେ ଟେଲିଫୋନ ଯୋଗାଯୋଗ ସିଗନାଲ୍ ନାହିଁ। ପାଗ ଖରାପ ରହିବା ସହିତ ଆକାଶ କୁହୁଡ଼ିରେ ଆଚ୍ଛାଦିତ ଥିଲା। ଦୃଶ୍ୟମାନତା ମାତ୍ର ୫ ମିଟର ଥିଲା। ଏଟିସି ସହିତ ସଂପର୍କ ଛିନ୍ନ ହେବା ପରେ ତୁରନ୍ତ ସେନା, ସଶସ୍ତ୍ର ସୀମା ବଳ ଏବଂ ଆଇଟିବିପିର ୫ଟି ଦଳ ଏହାକୁ ଖୋଜିବା ଆରମ୍ଭ କରିଦେଇଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।