ଏବେ ଇଡିରେ ନାଗ

ଭୁବନେଶ୍ୱର : ମୁଁ ଇଡିକୁ ଅପେକ୍ଷା କରିଥିଲି, ଇଡି ଆଗରେ ସବୁ ସତ କହିବି ବୋଲି ଆଜି ରିମାଣ୍ଡରେ ଯିବା ବେଳେ କହିଛନ୍ତି ଅର୍ଚ୍ଚନା। ହେଲେ ଏଥିରେ କିଏ ତାଙ୍କୁ ଫସାଇଛି ସେ ନେଇ କିଛି କହି ନ ଥିବା ବେଳେ ଇଡି ଆଗରେ କିନ୍ତୁ ସବୁ ସତ ଉଗାରିଦେବାର ବହୁତ ସମ୍ଭାବନା ଥିବା ଚର୍ଚ୍ଚା ହେଉଛି। ଅର୍ଚ୍ଚନାଙ୍କ ଏପରି ପ୍ରତିକ୍ରିୟା ଶୁଣି ସେ ଇଡି ଆଗରେ କିଛି ବଡ଼ବଡ଼ିଆଙ୍କ ନାଁ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ଏବେଠୁ ବହୁ ବଡ଼ବଡ଼ିଆଙ୍କ ଛାତିରେ ଛନକା ପଶିଥିବା ଜଣାଯାଇଛି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜି ରିମାଣ୍ଡରେ ନେଇଛି ଇଡି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜଣେ ଇଡି ଅଧିକାରୀ ଝାରପଡ଼ା ଜେଲ୍‌ରେ ପହଞ୍ଚି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ନିମନ୍ତେ କାଗଜପତ୍ର ଦେଖାଇଥିଲେ। ଏହାପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଝାରପଡ଼ା ଜେଲ୍‌ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟରେ ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡ଼ା ଜେଲ୍‌ରୁ ବାହାର କରି ପୁଲିସ୍‌ ଭ୍ୟାନ୍‌ରେ ବସା ଯାଇଥିଲା। ସେଠାରୁ ସିଧାସଳଖ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଅପେକ୍ଷାରତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା ଇଡି ଆଗରେ ସବୁ ସତ କହିବେ ବୋଲି କହିଛନ୍ତି।

Comments are closed.