ପୁଣି ଆଉ ଏକ ଚିତା ମୃତ

ଭୋପାଳ: ଆଜି ସକାଳେ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’ରେ ‘ଧାତ୍ରୀ’ ନାମକ ମାଈ ଚିତାର ମୃତ୍ୟୁ ଘଟିଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି ।

ମୃତ୍ୟୁର କାରଣ ଜାଣିବା ଲାଗି ବନ ବିଭାଗ ଅଧିକାରୀମାନେ ‘ଧାତ୍ରୀ’ର ଶବ ବ୍ୟବଚ୍ଛେଦ କରୁଛନ୍ତି।

କୁନୋ ଜାତୀୟ ଉଦ୍ୟାନରେ ଚାଲିଥିବା ସିରିଜ୍‌ ଚିତା ମୃତ୍ୟୁରେ ଏହା ହେଉଛି ସଦ୍ୟତମ ଘଟଣା। ସୂଚନାଯୋଗ୍ୟ, ‘ପ୍ରୋଜେକ୍ଟ୍‌ ଚିତା’ ଯୋଜନାର ଅଂଶବିଶେଷ ଭାବେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ଭାରତରେ ଚିତା ସଂଖ୍ୟା ବୃଦ୍ଧି କରିବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ପ୍ରାୟ ୭୦ ଦଶକ ତଳୁ ଦେଶରୁ ଚିତା ବିଲୁପ୍ତ ହୋଇଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତକୁ ଚିତା ଅଣାଯିବା ପରଠାରୁ ସମୁଦାୟ ୯ଟି ଚିତାର ମୃତ୍ୟୁ ଘଟିଲାଣି। ମୃତ ଚିତାଙ୍କ ମଧ୍ୟରେ ଅଛନ୍ତି ୩ଟି ଶାବକ। ଚିତା ମୃତ୍ୟୁ ପାଇଁ ବିଭିନ୍ନ କାରଣ ଦାୟୀ। କେତେକ ବିଶେଷଜ୍ଞ କହୁଛନ୍ତି, ପ୍ରଜାତିଗତ ଲଢ଼େଇ, ରୋଗ, ଦୁର୍ଘଟଣା ଏବଂ ଶିକାର ବେଳେ ପାଇଥିବା ଆଘାତ ହିଁ ସେମାନଙ୍କର ମୃତ୍ୟୁର କାରଣ। ଅନ୍ୟ ଜନ୍ତୁଙ୍କ ଆକ୍ରମଣ ଓ ଅଂଶୁଘାତକୁ ମଧ୍ୟ ଚିତା ମୃତ୍ୟୁର କାରଣ ବୋଲି କେତେକ କହୁଛନ୍ତି।

କିନ୍ତୁ, ଅପ୍ରାକୃତିକ ବା ଅସ୍ବାଭାବିକ କାରଣରୁ କୌଣସି ଚିତାର ମୃତ୍ୟୁ ଘଟିନାହିଁ ବୋଲି ‘ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ’ ଓ ‘ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ’ ସ୍ପଷ୍ଟୀକରଣ ଦେଇ କହିଛନ୍ତି।

Comments are closed.