ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା
ଯୋଧପୁର:ଭାରତର ପ୍ରତିରକ୍ଷା କ୍ଷେତ୍ର ଆଉ ଏକ ସଫଳତା ଯୋଧପୁରଠାରେ ଏହାର ଉଦ୍ଘାଟନୀ ଉତ୍ସବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ନବନିଯୁକ୍ତ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଅନିଲ ଚୌହାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଲେ ଯେ, ‘ପ୍ରଚଣ୍ଡ’ ଆମର ପ୍ରତିରକ୍ଷା କ୍ଷମତାକୁ ପ୍ରଚଣ୍ଡ ମାତ୍ରାରେ ବୃଦ୍ଧି କରିବ। ଏହା ମଧ୍ୟ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଏଲ୍ସିଏଚ୍କୁ ବାୟୁସେନାରେ ସାମିଲ କରିବା ପାଇଁ ନବରାତ୍ରିଠାରୁ ଆଉ ଭଲ ଦିନ ମିଳି ନ ଥାନ୍ତା। ଦୁଇ ଦଶନ୍ଧିର ଗବେଷଣା ଓ ବିକାଶର ଫଳ ହେଉଛି ଏହି ଏଲ୍ସିଏଚ୍ ବୋଲି ସିଂହ କହିଥିଲେ। ରାଜନାଥ କହିଲେ ଯେ ଦୀର୍ଘ କାଳରୁ ଲଢ଼ୁଆ ହେଲିକପ୍ଟରର ଆବଶ୍ୟକତା ଅନୁଭବ କରାଯାଉଥିଲା ଏବଂ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ଏହା ବେଶି ଅନୁଭୂତ ହୋଇଥିଲା। ଏହି ହେଲିକପ୍ଟର ସାହାଯ୍ୟରେ ଶତ୍ରୁପକ୍ଷର ଧୀରଗାମୀ ବିମାନ, ଡ୍ରୋନ ଓ ସାଞ୍ଜୁପିନ୍ଧା ସ୍ଥଳସେନା ଆଦି ସହ ଯୁଦ୍ଧ କରିହେବ। ଏହା ଆମ ବାୟୁସେନାର କ୍ଷମତା ବୃଦ୍ଧି କରିବ।
ରୁଷ୍-ୟୁକ୍ରେନ୍ ଯୁଦ୍ଧର ଉଦାହରଣ ଦେଇ ରାଜନାଥ କହିଲେ ଯେ, ହେଭି ୱିପନ ସିଷ୍ଟମ୍ ଯୁଦ୍ଧକ୍ଷେତ୍ରରେ ଚଟାପଟ ଗତି କରିପାରି ନ ଥାଏ। ଶତ୍ରୁମାନେ ତାକୁ ସହଜରେ ଟାର୍ଗେଟ କରିପାରନ୍ତି। ତେଣୁ ବର୍ତ୍ତମାନର ଏଲ୍ସିଏଚ୍ ପ୍ରଚଣ୍ଡ ପରି ହାଲୁକା ଯାନ ଏ କ୍ଷେତ୍ରରେ ଅଧିକ ଉପଯୋଗୀ। ଏହାର ନାମରେ ଲାଇଟ୍ ବା ହାଲୁକା ଶବ୍ଦ ରହିଥିଲେ ମଧ୍ୟ ଏହା ଯେଉଁ କାମ କରିବ ତାହା ହେଭି ବୋଲି ରାଜନାଥ କହିଥିଲେ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଦ୍ବାରା ଏହି ହେଲିକପ୍ଟର ନିର୍ମାଣ କରାଯାଇଛି।
Comments are closed.