ଜେଲରୁ ମୁକୁଳିଲେ ଅନୀଲ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ ନେତା ଅନୀଲ ଦେଶମୁଖ। କିଛି ଦିନ ତଳେ ‘ସିବିଆଇ’ ଫାଇଲ୍‌ କରିଥିବା ୧୦୦ କୋଟି ଟଙ୍କାର ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ମାମଲାରେ ଅନୀଲ ଦେଶମୁଖଙ୍କ ଜାମିନ ମଞ୍ଜୁର କରିଥିଲେ ବମ୍ବେ ହାଇକୋର୍ଟ। ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଅନୀଲ ଦେଶମୁଖ ଆଜି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଛନ୍ତି। ତାଙ୍କୁ ମୁକ୍ତ କରାଯିବା ପରେ ଅନିଲ ଦେଶମୁଖଙ୍କୁ ତାଙ୍କ ସମର୍ଥକମାନେ ହିରୋ ଭରି ସ୍ୱାଗତ କରିଥିବା ଦେଖାଯାଇଛି।

୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ବିଚାରପତି ଏମ୍‌. ଏସ୍‌. କର୍ଣ୍ଣିକ୍‌ଙ୍କ ଜଣିକିଆ ଖଣ୍ଡପୀଠ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। କିନ୍ତୁ, ଏହି ଜାମିନ ଆଦେଶ ବିରୋଧରେ ‘ସିବିଆଇ’ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବା ଲାଗି ସମୟ ମାଗିବାରୁ ଖଣ୍ଡପୀଠଙ୍କ ଆଦେଶ ୧୦ ଦିନ ପରେ ଲାଗୁ ହେବ ବୋଲି କୁହାଯାଇଥିଲା। ସମୟ ମିଳିବା ପରେ ସିବିଆଇ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲା। କିନ୍ତୁ ଏବେ ଶୀତଦିନ ଛୁଟି ଚାଲିଥିବାରୁ ଜାନୁଆରିରେ କୋର୍ଟ ଖୋଲିବା ପରେ ଏହା ଶୁଣାଣି ହେବ ବୋଲି ଜଣାପଡ଼ିଛି।

ନଭେମ୍ବର ୨୦୨୧ରେ ଅନିଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଅକ୍ଟୋବର ୨୦୨୨ରେ ସେ ଜାମିନ ପାଇଥିଲେ ମଧ୍ୟ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସେ ଜେଲରେ ରହିଥିଲେ। ସିବିଆଇ ଦାବି କରିଛି ଯେ ଶ୍ରୀ ଦେଶମୁଖ ରାଜ୍ୟ ଗୃହମନ୍ତ୍ରୀ ଭାବରେ ତାଙ୍କ ପଦର ଅପବ୍ୟବହାର କରିଛନ୍ତି ଏବଂ କିଛି ପୁଲିସ ଅଧିକାରୀଙ୍କ ମାଧ୍ୟମରେ ମୁମ୍ବାଇର ବିଭିନ୍ନ ବାରରୁ ୪.୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି।

Comments are closed.