ପୁଣି ବଢିବ ରାଜ୍ୟରେ ଶୀତ

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ବିଶେଷ ପ୍ରଭାବ ନାହିଁ। ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସେହିପରି ୧୭ ତାରିଖରୁ ୧୮ ତାରିଖ ମଧ୍ୟରେ ଉପକୂଳବର୍ତ୍ତୀ ଜିଲାଗୁଡ଼କର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ବାକି ସବୁ ଜିଲାରେ ପାଗ ଶୁଖିଲା ରହିବ। ଅନ୍ୟପକ୍ଷରେ ଘନକୁହୁଡ଼ି ଯୋଗୁଁ ଗମନାଗମନ ପ୍ରଭାବିତ ହେଉଛି। ବହୁ ସ୍ଥାନରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟି ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ଘନକୁହୁଡ଼ି ସମୟରେ ସଡ଼କ ବ୍ୟବହାରକାରୀମାନଙ୍କ ଦ୍ବାରା ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଧୀରେ ଗାଡ଼ି ଚଳାଇବା,ଗାଡ଼ିଗୁଡ଼ିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ରଖିବା, ହେଡ୍ ଲାଇଟ ଲଗାଇବା, ଫଗ୍ ଲ୍ୟାମ୍ପ ବ୍ୟବହାର କରିବା, ସାବଧାନତା ଓ ଏକାଗ୍ରତା ରକ୍ଷା କରି ଗାଡ଼ି ଚଳାଇବାକୁୁ ପରାମର୍ଶ ଦିଆଯାଇଛି। ଏହାସହିତ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସାମାଜିକ ଗଣମାମଧ୍ୟମରୁ ରାଜ୍ୟର ଦୈନିକ କୁହୁଡ଼ି ବିବରଣୀକୁ ଅନୁସରଣ କରି ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଗୁରୁବାର ସକାଳେ କଟକ, ବଲାଙ୍ଗୀର, ଚାନ୍ଦବାଲି ଏବଂ କେନ୍ଦ୍ରାପଡ଼ାରେ ଘଡ଼କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଏଠାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ଆସନ୍ତାକାଲି ସକାଳେ ଝାରସୁଗୁୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏଥିପାଇଁ ହଳଦିଆ ସତର୍କତା ଜାରି କରାଯାଇଛି।

Comments are closed.