ପୁଣି ମଣିପୁରରେ ହିଂସା , ୪ ଜଣଙ୍କୁ କଲେ ହତ୍ୟା

ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ହୋଇଛି ରକ୍ତପାତ । ଗଡ଼ିଛି ନିରୀହ ମୁଣ୍ଡ। ଆତଙ୍କବାଦୀମାନେ ୪ ନିରୀହ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଗତ ବୁଧବାରଠୁ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ୪ ଜଣ ନିଖୋଜ ଥିବା ବେଳେ ଗତକାଲି ସେମାନଙ୍କ ମୃତଦେହ ବିଷ୍ଣୁପୁର ଓ ଚୁରଚାନ୍ଦପୁର ଜିଲ୍ଲା ସୀମାରୁ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ବାପପୁଅ ବି ଥିବା ଜଣାଯାଇଛି। ମୃତକମାନେ ହେଲେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ ।

ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ୪ ଜଣ ଗତ ବୁଧବାର ଚୁରଚାନ୍ଦପୁର ଜିଲ୍ଲା ନିକଟବର୍ତ୍ତୀ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ଏହାପରଠୁ ସେମାନଙ୍କ ପତ୍ତା ମିଳୁ ନ ଥିଲା।ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ସେମାନଙ୍କୁ ବନ୍ଦୀ କରିନେଇଥିବା ପୁଲିସ ସନ୍ଦେହ କରିଥିଲା।

ବହୁ ଖୋଜାଖୋଜି ପରେ ୪ ମୃତଦେହ ଗତକାଲି ବିଷ୍ଣୁପୁର ଜିଲ୍ଲାର କୁମ୍ବିଠୁ ଉଦ୍ଧାର କରାଯାଇଛି। ପ୍ରଥମେ ମୃତଦେହଗୁଡ଼ିକର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନା ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକେ ଏହାକୁ ଚିହ୍ନଟ କରିବା ପରେ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

 

Comments are closed.