ପୁଣି ଦିଲ୍ଲୀରେ କ୍ଷମତା ଲଢେଇ

ନୂଆଦିଲ୍ଲୀ :ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର। କିଛି ଦିନ ପୂର୍ବେ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ହୋଇଥିବା କ୍ଷମତା ଲଢ଼େଇରେ ଜିତି ଯାଇଥିଲେ କେଜ୍ରିୱାଲ। ହେଲେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିବା କେନ୍ଦ୍ର ସରକାର ପୁଣି ଥରେ ନିଜ ବଡ଼ ଭାଇ ପଣିଆ ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଦିଲ୍ଲୀର ପ୍ରଶାସନିକ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିବା ବେଳେ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ ଉପରାଜ୍ୟପାଳ ହସ୍ତକ୍ଷେପ କରି ପାରିବେନି ବୋଲି ରାୟ ପ୍ରକାଶ କରିଥିଲେ। ମାତ୍ର ଏହା ଉପରେ ଅଧ୍ୟାଦେଶ ଆଣି ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇଛନ୍ତି କେନ୍ଦ୍ର ସରକାର।

ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି ନାମକ ଏକ ଅଥରିଟି ଗଠନ କରିଛନ୍ତି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ , ଦିଲ୍ଲୀର ଚିଫ ସେକ୍ରେଟାରୀ ଓ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ସଦସ୍ୟ ରଖାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଅଥରିଟିର ଅଧ୍ୟକ୍ଷ ରହିବେ ।

ଅଧିକାରୀଙ୍କ ଟ୍ରାନ୍ସଫର ତଥା ବଦଳିକୁ ନେଇ କୌଣସି ବିବାଦ ଦେଖାଦେଲେ ଏହି ଅଥରିଟି ସଦସ୍ୟଙ୍କ ମଧ୍ୟରେ ଭୋଟ ଗ୍ରହଣ କରାଯିବ । ଏଥିରେ ବି ବିବାଦର ସମାଧାନ ନ ହେଲେ ଶେଷ ନିଷ୍ପତ୍ତି ଉପରାଜ୍ୟପାଳ ନେବେ ବୋଲି ଏହି ଅଧ୍ୟାଦେଶରେ ଉଲ୍ଲେଖ ଅଛି। ଅଧିକାରୀଙ୍କ ଟ୍ରାନ୍ସଫର ତଥା ବଦଳି ତଥା ଭିଜିଲାନ୍ସ ଚଢ଼ାଉ ସମ୍ପର୍କରେ ବି ଏହି ଅଥରିଟି ନିଷ୍ପତ୍ତି ନେବ ବୋଲି ଉଲ୍ଲେଖ ଅଛି ।

ଏହି କମିଟିରେ ଦିଲ୍ଲୀର ଚିଫ ସେକ୍ରେଟାରୀ ଓ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବହୁମତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅଳ୍ପମତ ହେବେ । ଫଳରେ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ କେନ୍ଦ୍ର ସରକାରଙ୍କ ରାଜୁତି ଚାଲିବ ବୋଲି ଜଳଜଳ ଦିଶୁଛି ।

ସୁପ୍ରିମକୋର୍ଟ ନିଜ ରାୟରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳ କାମ କରିବେ ବୋଲି କହିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ହିଁ ମୁଖ୍ୟ ପାୱାର ସେଣ୍ଟର ବୋଲି ଅଭିହିତ କରିଥିଲେ । ମାତ୍ର କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶରେ ଏହି ନିୟମକୁ ପୂରା ଓଲଟପାଲଟ କରାଯାଇଛି। ଅର୍ଥାତ କେନ୍ଦ୍ର ସରକାର କେଜ୍ରିୱାଲଙ୍କ କ୍ଷମତାକୁ କାଟି ଉପରାଜ୍ୟପାଳଙ୍କୁ ପାୱାରଫୁଲ କରିବାକୁ ଚେଷ୍ଟା ଚଳାଇଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି।

Comments are closed.