ପୁଣି କଂଗ୍ରେସକୁ ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରେ ମହିଳାକର୍ମୀମାନଙ୍କ ପାଇଁ ନିରାପଦ ପରିବେଶ ନ ଥିବା ଘଟଣା ପାଇଁ ମତେ ଦାୟି କରିବା ଅନ୍ୟାୟ ବୋଲି ଆଜି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବୃତି ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। ଟୁଇଟ୍‌ କରି ଶର୍ମା କହିଛନ୍ତି, ଆଇନ ଅନୁସାରେ ଆସାମ ପୁଲିସ କାର୍ଯ୍ୟ କରୁଛି ଏବଂ କଂଗ୍ରେସ ଦଳରେ ମହିଳା କର୍ମୀଙ୍କ ପାଇଁ ନିରାପଦ ପରିବେଶ ନ ଥିବା ଘଟଣାରେ ମତେ ଦାୟି କରିବା ଅନ୍ୟାୟ। ବିଚାର ବ୍ୟବସ୍ଥାରେ ସହଯୋଗ କରିବା ଲାଗି ଦୟାପୂର୍ବକ ଅଭିଯୁକ୍ତଙ୍କୁ କୁହନ୍ତୁ।

ଉକ୍ତ ଟୁଇଟ୍‌ରେ ହିମନ୍ତ ବିଶ୍ବ ଶର୍ମା ମେ ୨ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଦିସପୁର ଥାନାରେ ହାଜର ହେବା ପାଇଁ ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି.ଙ୍କୁ ଜାରି କରାଯାଇଥିବା ନୋଟିସ୍‌ର କପି ମଧ୍ୟ ପୋଷ୍ଟ୍‌ କରିଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି.ଙ୍କ ନାଁରେ ଆସାମ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅଙ୍ଗକିତା ଦତ୍ତା ଦିସପୁର ଥାନାରେ ଅଭିଯୋଗ କରିଥିଲେ ଯେ, ଗତ ଛଅ ମାସ ହେବ ଶ୍ରୀନିବାସ କେବଳ ତାଙ୍କୁ ଉତ୍ପୀଡ଼ନ ଓ ନିର୍ଯାତନା ଦେଉଥିଲେ ତାହା ନୁହେଁ, ତାଙ୍କ ବିରୋଧରେ କଂଗ୍ରେସର ଉଚ୍ଚପଦସ୍ଥଙ୍କ ନିକଟରେ ଅଭିଯୋଗ କଲେ ଭୟାବହ ପରିଣତି ଭୋଗିବେ ବୋଲି ଧମକ ମଧ୍ୟ ଦେଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଶନିବାର ଦିନ ଦିସପୁର ଥାନାରେ ମାମଲା ରୁଜୁ କରାଯାଇଥିଲା।

Comments are closed.