ପୁଣି ଏସବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନିର୍ବାଚନୀ ବଣ୍ଡକୁ ନେଇ ପୁଣିଥରେ ଏସବିଆଇକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ କମିସନଙ୍କ ପାଖରେ ଏସବିଆଇ ଦାଖଲ କରିଥିବା ତଥ୍ୟ ବାବଦରେ ଶୁଣାଣି କରି ନିର୍ବାଚନୀ ବଣ୍ଡର ନମ୍ବର ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କାରଣ ନିର୍ବାଚନ କମିସନଙ୍କୁ ଦିଆଯାଇଥିବା ତଥ୍ୟରେ ନିର୍ବାଚନୀ ବଣ୍ଡର କୌଣସି ତଥ୍ୟ ଉଲ୍ଲେଖ ନଥିଲା । ଏହାସହ ସୁପ୍ରିମକୋର୍ଟରେ ଜମା ହୋଇଥିବା ସମସ୍ତ ତଥ୍ୟକୁ ନିର୍ବାଚନ କମିସନଙ୍କୁ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ଚନ୍ଦ୍ରଚୁଡ କହିଛନ୍ତି, ସୁପ୍ରିମକୋର୍ଟ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସମସ୍ତ ତଥ୍ୟ ଦାଖଲ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଥିଲା କିନ୍ତୁ ପୁରା ତଥ୍ୟ ଦିଆଯାଇନାହିଁ । ତେଣୁ ନିର୍ବାଚନୀ ବଣ୍ଡର ୟୁନିକ୍ ନମ୍ବର ସାର୍ବଜନୀନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ବଣ୍ଡ କିଣିବାର ତାରିଖ, ବଣ୍ଡ ଦାଖଲ କରି ଟଙ୍କା ଉଠାଣର ତାରିଖ ସମସ୍ତ ତଥ୍ୟ ଉଲ୍ଲେଖ ରହିବ । ଯାହାଦ୍ୱାରା କେଉଁ ଦଳକୁ କିଏ କେତେ ଟଙ୍କା ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ହେବ । ଗତକାଲି ଏସବିଆଇ ଠାରୁ ମିଳିଥିବା ତଥ୍ୟକୁ ନିର୍ବାଚନ କମିସନ ନିଜ ୱେବସାଇଟରେ ଉପଲବ୍ଧ କରିଥିଲେ ।

Comments are closed.