ପୁଣି ନିରାଶ ହେଲେ ସିସୋଦିଆ

ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଝଟ୍‌କା। ଖାରଜ ହେଲା ତାଙ୍କ ବେଲ୍‌। ସୁପ୍ରିମକୋର୍ଟ ଆଜି ତାଙ୍କ ବେଲ୍‌ ଆବେଦନ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୨୪୧ ଦିନ ହେବ ଜେଲରେ ବନ୍ଦ ଅଛନ୍ତି।

ସୁପ୍ରିମକୋର୍ଟ ଗତ ମଙ୍ଗଳବାର ତଥା ଅକ୍ଟୋବର ୧୭ ତାରିଖରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଜଷ୍ଟିସ ସଞ୍ଜିବ ଖନ୍ନା ଓ ଏସ୍‌ ବିଏଲ୍‌ ଭଟ୍ଟିଙ୍କ ଦୁଇ ଜଣିଆ ଖଣ୍ଡପୀଠ ନିଜ ରାୟ ଶୁଣାଇଛନ୍ତି। ସିବିଆଇ ଓ ଇଡି ଉଭୟଙ୍କ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। ଏଥିସହ ୬ରୁ ୮ ମାସ ଭିତରେ ଟ୍ରାଏଲ୍‌ ପୂରା କରିବା ପାଇଁ ତନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ବିଳମ୍ବ ହୁଏ ତେବେ ସିସୋଦିଆ ପୁଣି ଥରେ ଜାମିନ ଆବେଦନ କରିପାରନ୍ତି ବୋଲି କୋର୍ଟ କହିଛନ୍ତି।

Comments are closed.