ପୁଣି ଉଦ୍ଧବଙ୍କୁ ଝଟକା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଜି ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସେନା ଗୋଷ୍ଠୀକୁ ଶିବସେନା ଦଳର ନାମ ଏବଂ ଚିହ୍ନ ପ୍ରଦାନ କରିବା ସଂକ୍ରାନ୍ତ ନିର୍ବାଚନ କମିସନ(ଇସି)ଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ‌ଲଗାଇବାପାଇଁ ଠାକ୍‌ରେ ଗୋଷ୍ଠୀ କୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ଆବେଦନର ଶୁଣାଣି କରି କୋର୍ଟ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ସେମାନେ (ସିନ୍ଦେ ଗୋଷ୍ଠୀ) ନିର୍ବାଚନ କମିସନଙ୍କ ନିକଟରେ ସଫଳ ହୋଇସାରିଛନ୍ତି। ଆମେ ଏବେ ଆଉ ଇସିଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇ ପାରିବୁନାହିଁ। ତେବେ କୋର୍ଟ ଆଜି ଠାକ୍‌ରେ ଗୋଷ୍ଠୀର ଆବେଦନ ଉପରେ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ କମିସନଙ୍କୁ ନୋଟିସ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାପାଇଁ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ସିଜେଆଇ ଇସିଙ୍କ ନିଷ୍ପତ୍ତିକୁ ଦୋହରାଇ କହିଛନ୍ତି ଯେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ଶିବସେନା (ୟୁବିଟି) ନାମ ଏବଂ ମସାଲ୍‌ ଚିହ୍ନ ବ୍ୟବହାର କରିପାରିବେ।

ଠାକରେ ଗୋଷ୍ଠୀ‌ ସେନା ସମ୍ପତ୍ତି ତଥା ସେନାର ଅଫିସ, ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ କହିଛନ୍ତି, ଇସିଙ୍କ ନିଷ୍ପତ୍ତିକୁ କୋର୍ଟ ଅଚଳ କରିପାରିବେ ନାହିଁ। ଯଦି ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ ଅଧୀନରେ କିଛି କାର୍ଯ୍ୟ ହେଉନି ତା’ହେଲେ ଠାକ୍‌ରେ ଗୋଷ୍ଠୀ ନ୍ୟାୟିକ ପ୍ରକ୍ରିୟାର ବ୍ୟବହାର କରିପାରିବେ। ତେବେ ଆଜି ଶୁଣାଣି ସମୟରେ ସିନ୍ଦେ ଗୋଷ୍ଠୀ କୋର୍ଟଙ୍କୁ ଆଶ୍ବସ୍ତ କରି କହିଛନ୍ତି ଯେ ସେମାନେ ସେନାର ପାର୍ଟି ଅଫିସ, ବ୍ୟାଙ୍କ ଆକାଉଣ୍ଟ୍‌ ଅକ୍ତିଆର କରିବେନି କି କୌଣସି ହ୍ବିପ୍‌ ଜାରି କରିବେନି।

Comments are closed.