ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ୧୩୦୨ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ

ଭୁବନେଶ୍ୱର : ମାତ୍ର ୨୭ ପ୍ରତିଶତ ଖର୍ଚ୍ଚ ହୋଇଛି ଆର୍ଥିକ ବର୍ଷର ପ୍ରଥମ ୫ ମାସରେ । ଏହା ହେଉଛି ବିକାଶମୂଳକ ଖର୍ଚ୍ଚ କୁହାଯାଉଥିବା କାର୍ଯ୍ୟକ୍ରମ ବ୍ୟୟ ଅଟକଳର ବିନିଯୋଗ ହିସାବ । ପାଖାପାଖି ୯୧ ହଜାର କୋଟି ଟଙ୍କା ଖର୍ଚ୍ଚ ଅପେକ୍ଷାରେ ।

ଏହା ସତ୍ତେ୍ୱ କାର୍ଯ୍ୟକ୍ରମ ଅଥବା ଯୋଜନା କ୍ଷେତ୍ରକୁ ଆହୁରି ୨୦ ହଜାର ୧୦୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ସରକାର ଅତିରିକ୍ତ ବଜେଟରେ । ନୂଆ ଯୋଜନା, କାର୍ଯ୍ୟକ୍ରମ ଓ ଅତିରିକ୍ତ ଖର୍ଚ୍ଚ ଆବଶ୍ୟକତାକୁ ବିଚାରକୁ ନେଇ ଅତିରିକ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି ।

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆଜି (ଶୁକ୍ରବାର) ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ୍‌ ପ୍ରସ୍ତାବ ଆଗତ କରିଛନ୍ତି । ମୋଟ ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବର ସିଂହ ଭାଗ ଅର୍ଥ କାର୍ଯ୍ୟକ୍ରମ କ୍ଷେତ୍ରକୁ ଆବଣ୍ଟନ କରାଯାଇଛି।

ମୂଳ ବଜେଟରେ କାର୍ଯ୍ୟକ୍ରମ ଖର୍ଚ୍ଚ (ପ୍ରୋଗ୍ରାମ୍‌ ଏକ୍ସପେଣ୍ଡିଚର୍‌) ଆକାର ଥିଲା ୧ ଲକ୍ଷ ୨୫ ହଜାର କୋଟି ଟଙ୍କା, ଯାହା ମୋଟ ବଜେଟ୍‌ ଅଟକଳର ୫୪% । ଏବେ ଏହା ବଢ଼ି ୧ ଲକ୍ଷ ୪୫ ହଜାର କୋଟି ଛୁଇଁଛି । ମୋଟ ବଜେଟ୍‌ ବ୍ୟୟ ବରାଦର ୫୬ ପ୍ରତିଶତକୁ ଡେଇଁଛି କାର୍ଯ୍ୟକ୍ରମ ଖର୍ଚ୍ଚ ।

ରାଜ୍ୟର ସାମଗ୍ରିକ ବିକାଶ ସହ, କୃଷି ଓ କୃଷକର ଆୟ ବୃଦ୍ଧି, ଦାରିଦ୍ର‌୍ୟ ଦୂରୀକରଣ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ବିକାଶ ସହ ସାମାଜିକ କଲ୍ୟାଣକୁ ଗୁରୁତ୍ୱ ଦେଇ ଆବଶ୍ୟକ ଅତିରିକ୍ତ ବ୍ୟୟ ବ୍ୟବସ୍ଥା କରାଯାଇଛି ବୋଲି ସରକାର କହିଛନ୍ତି ।

କୃଷି, ଜଳସେଚନ ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରକୁ ଅଧିକ ୪ ହଜାର ୪୪୩ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି । ସ୍ୱାସ୍ଥ୍ୟସେବାକୁ ୮୬୨ କୋଟି, ମିଶନ୍‌ ଶକ୍ତି ଓ ସାମାଜିକ ନିରାପତ୍ତା କ୍ଷେତ୍ର ପାଇଁ ୧୫୫୪ କୋଟି, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶକୁ ୩୬୫୧ କୋଟି, ଭିତ୍ତିଭୂମି ବିକାଶକୁ ଅତିରିକ୍ତ ୧୬୩୧ କୋଟି, ମହିଳା ଓ ଶିଶୁ ବିକାଶକୁ ୪୬୫ କୋଟି, ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୧୧୩୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥା କରଯାଇଛି ।

ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି । ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ ପାଇଁ ୨୧୦ କୋଟି, ଲକ୍ଷ୍ମୀ ଯୋଜନାକୁ ୫୫୬ କୋଟି, ପଞ୍ଚାୟତକୁ ଆଇଟି ସଂଯୋଗ କାର୍ଯ୍ୟକ୍ରମକୁ ୨୫୨ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାକୁ ୧୧୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଅତିରିକ୍ତ ବଜେଟ୍‌ ପ୍ରସ୍ତାବରେ ।

ଅତିରିକ୍ତ ବଜେଟ୍‌ରେ ପ୍ରଶାସନିକ ଖର୍ଚ୍ଚ (ଆଡ୍‌ମିନିଷ୍ଟ୍ରେଟିଭ୍‌ ଏକ୍ସପେଣ୍ଡିଚର୍‌)କୁ ଅଧିକ ୨,୮୬୪ କୋଟି ଟଙ୍କା ଦିଆଯାଇଥିବା ବେଳେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଅତିରିକ୍ତ ୪,୬୬୪ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କଯାଇଛି । ଆଗାମୀ ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ଦିଆଯାଇଛି ।

Comments are closed.