ପୁଣି ସପା ମୁଖ୍ୟ ଅଖିଳେଶଙ୍କୁ ଝଟକା

ରାଜ୍ୟସଭା ନିର୍ବାଚନ ଭିତରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କୁ ଲାଗିଛି ବଡ ଝଟ୍‌କା। ଦଳ ଛାଡିଛନ୍ତି ବିଧାୟକ ମନୋଜ ପାଣ୍ଡେ। ସେ ବିଧାନସଭାର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଅଖିଳେଶଙ୍କ ପାଖକୁ ଚିଠି ଲେଖି ଜଣାଇଛନ୍ତି। ଅଖିଳେଶ ଯାଦବଙ୍କ ସହ ମତାନ୍ତର ଯୋଗୁ ସେ ଦଳ ଛାଡିଥିବା କୁହାଯାଉଛି।

ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ମତଦାନ ଜାରି ରହିଛି। ଏହା ପୂର୍ବରୁ ଅଖିଳେଶଙ୍କ ହାତ ଛାଡି ଦେଇଛନ୍ତି ମୁଖ୍ୟ ସଚେତକ ମନୋଜ ପାଣ୍ଡେ। ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ ସେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟିଂ କରିପାରନ୍ତି ବୋଲି କୁହାଯାଉଛି।

ସୂଚନା ମୁତାବକ ସପା ଛାଡିବା ପରେ ମନୋଜ ପାଣ୍ଡେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇପାରନ୍ତି। ସେ ବିଜେପି ଟିକେଟ୍‌ରୁ ରାଏବରେଲି ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଅଥବା ଯୋଗୀ କ୍ୟାବିନେଟ୍‌ରେ ସାମିଲ ହୋଇପାରନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଉପ-ବାଚସ୍ପତିର ପଦ ମଧ୍ୟ ଯୋଗୀ ସରକାର ଦେଇପାରନ୍ତି ବୋଲି କୁହାଯାଉଛି।

Comments are closed.