ଅହମଦ ଓ ଅଶରଫଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ ଦେହରେ ବାଜିଛି ୧୪ଗୁଳି

ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ଡନ୍‌ ବ୍ରଦର୍ସ ଅତିକ ଅହମଦ ଓ ଅଶରଫଙ୍କୁ ଶନିବାର ରାତିରେ ସୁରକ୍ଷା ବଳୟ ମଧ୍ୟରେ ପୁଲିସ୍‌ ମେଡିକାଲ ଚେକଅପ୍‌ ପାଇଁ ନେଉଥିବା ବେଳେ ଉଭୟଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ତା’ ଭାଇ ଅଶରଫ ଟଳି ପଡ଼ିଥିଲେ। ଗତକାଲି ରାତିରେ ଉଭୟଙ୍କୁ କବର ଦିଆଯାଇଥିବା ବେଳେ ଆଜି ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମନାକୁ ଆସିଛି।

ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅତିକ ଅହମଦ ଶରୀରରେ ୯ଟି ଗୁଳି ଓ ଅଶରଫ ଶରୀରରୁ ମିଳିଛି ୫ଟି ଗୁଳି ଚିହ୍ନ । ଉଭୟଙ୍କ ଶରୀରରୁ ସମୁଦାୟ ୧୪ଟି ଗୁଳି ଚିହ୍ନ ମିଳିଥିବା ଡାକ୍ତର ସୂଚନା ଦେଇଛନ୍ତି । ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠିତ ହୋଇଥିବା ବେଳେ ଏହାର ଭିଡିଓଗ୍ରାଫି ବି ହୋଇଥିଲା।

ଅତିକ ଅହମଦ ଓ ଅଶରଫଙ୍କ ଉପରକୁ ୩ ଅଭିଯୁକ୍ତ ସନ୍ନି, ଲଭଲେଶ ଓ ବରୁଣ ଆଖି ବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଅତିକ ଅହମଦର ମୁଣ୍ଡରେ ଗୋଟିଏ ଗୁଳି ସମେତ ଛାତି ଓ ପିଠିରେ ୮ଟି ଗୁଳି ଲାଗିଛି। ସେହିପରି ଅଶରଫ ଶରୀରରେ ୫ଟି ଗୁଳି ଲାଗିଛି। ଗୋଟିଏ ଗୁଳି ଅଶରଫ ମୁହଁରେ ବାଜିଥିବା ବେଳେ ଓ ଆଉ ୪ଟି ଗୁଳି ତା’ ପିଠି ପାର୍‌ କରି ପଳାଇଛି।

ଡନ୍‌ରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ୩ ଜଣ ଯୁବକ ଲାଇଭ କ୍ୟାମେରା ଏବଂ ପୁଲିସ୍‌ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିଲେ। ଉଭୟଙ୍କୁ ପୁଲିସ୍‌ ମେଡିକାଲ ଚେକଅପ ପାଇଁ ପ୍ରୟାଗରାଜର ମୋତିଲାଲ ନେହରୁ ଡିଭିଜନାଲ ହସ୍ପିଟାଲକୁ ନେଉଥିଲା। ହସ୍ପିଟାଲ ଗେଟ୍‌ ସାମ୍ନାରୁ ହାତକଡ଼ି ପିନ୍ଧି ଚାଲି ଚାଲି ଯାଉଥିବା ବେଳେ ସାମ୍ବାଦିକ ବେଶରେ ଆସିଥିବା ୩ ଯୁବକ ଦୁଇ ଭାଇଙ୍କୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

Comments are closed.