ଭାରତରେ ନିର୍ମାଣ ହେବା ଯୁଦ୍ଧ ବିମାନ ଇଞ୍ଜିନ

ନୂଆଦିଲ୍ଲୀ : ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଥିବା ବେଳେ ଭବିଷ୍ୟତର ସ୍ୱଦେଶୀ ଲଢୁଆ ବିମାନ ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ଲଢୁଆ ବିମାନ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଲେ ଭାରତ ବିଶ୍ବରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶର ମାନ୍ୟତା ପାଇପାରିବ ।

ଲଢୁଆ ବିମାନ ନିର୍ମାଣର ସବୁଠାରୁ ଜଟିଳ ଓ ଗୁରୁତ୍ବପୂର୍ଣ୍ଣ ଅଂଗ ହେଉଛି ଇଂଜିନ । ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ତେଜସ ପରି ବିମାନ ନିର୍ମାଣ କରୁଥିଲେ ବି ଏହାର ଇଂଜିନି ବାହାରୁ ଆମଦାନୀ ହେଉଛି । ଏବେ ଦେଶରେ ଇଂଜିନ ନିର୍ମାଣ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଜେଟ୍ ଇଂଜିନ ନିର୍ମାଣ ପାଇଁ ଭାରତ ସରକାର ଫ୍ରାନ୍ସ ଏବଂ ଆମେରିକା ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି ।

ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲସିଏ) ଏମକେ-୨ ନିମନ୍ତେ ଜେନେରାଲ ଇଲେକ୍ଟ୍ରିକ୍ (ଜିଇ) ଇଞ୍ଜିନ ପାଇଁ ଆମେରିକା ସହ ଆଲୋଚନା ଚାଲିଛି । ସେହିପରି ଏକ ଉଚ୍ଚ କ୍ଷମତା ସଂପନ୍ନ ଲଢୁଆ ଇଂଜିନ (ଆଡଭାନ୍ସ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଏମ୍ ସିଏ)) ପାଇଁ ଫ୍ରାନ୍ସ ସହିତ ଆଲୋଚନା ଚାଲିଛି ।

୨୦୨୮ ସୁଦ୍ଧା ହାଲୁକା ଯୁଦ୍ଧ ବିମାନ (ଏଲସିଏ) ଏମକେ-୨ ଫ୍ଲିଟରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ଆଡଭାନ୍ସ ମିଡିୟମ୍ କମ୍ବ୍ୟାଟ୍ ଏୟାରକ୍ରାଫ୍ଟ (ଏଏମ୍ ସିଏ)ର ପ୍ରଥମ ଉଡ଼ାଣ ପାଇଁ ୭ ବର୍ଷ ସମୟ ଲାଗିପାରେ ଏବଂ ଏହାକୁ ସାମିଲ କରିବାକୁ ୧୦ ବର୍ଷ ଲାଗିପାରେ ।

Comments are closed.