ରାହୁଲଙ୍କ ନାଁରେ ରୁଜୁ ହେଲା ମାମଲା

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆସାମ ସରକାର ଜାଣିଶୁଣି ରାହୁଲ ଗାନ୍ଧିଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟରେ ଆଇନଶୃଙ୍ଖଳା ଭଙ୍ଗ କରିବା, ସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ପୁଲିସ୍‌ ଅଧିକାରୀଙ୍କୁ ଅପବ୍ୟବହାର କରିବା ଅଭିଯୋଗରେ ଗତକାଲି ଶତାଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ କିଛି ଦିନ ହେବ ଆସାମରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଖଡଗେ ଅମିତ ଶାହଙ୍କୁ ଅବଗତ କରାଇଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ କର୍ମୀଙ୍କ ସୁରକ୍ଷା ନିମନ୍ତେ ସେ ଶାହଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଆସାମରେ ରାହୁଲ ଗାନ୍ଧିଙ୍କୁ Z+ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ଏପରି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ଜରୁରୀ ପଦକ୍ଷେପ ନେବାକୁ ଆସାମର ପୁଲିସ୍‌ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

Comments are closed.