ହିମାଚଳ ପ୍ରଦେଶରେ କଂଗ୍ରେସକୁ ଝଟକା

ଉତ୍ତରପ୍ରଦେଶ, କର୍ନାଟକ ଏବଂ ହିମାଚଳପ୍ରଦେଶରୁ ମୋଟ ୧୫ ଆସନ ପାଇଁ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉତ୍ତରପ୍ରଦେଶର ୧୦ଟି ଆସନରୁ ଭାଜପା ୮ଟିରେ ବିଜୟୀ ହୋଇଥିବାବେଳେ ସମାଜବାଦୀ ପାର୍ଟିକୁ ୨ଟି ଆସନ ମିଳିଛି। ସେହିପରି କର୍ନାଟକରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବାବେଳେ ଭାଜପା ଗୋଟିଏ ଆସନ ଜିତିଛି। ଅନ୍ୟପକ୍ଷରେ ହିମାଚଳପ୍ରଦେଶରେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ହାରିଯାଇଛନ୍ତି। ସେଠାରେ କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ଯୋଗୁ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି।

କର୍ନାଟକରେ ୪ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଶାସକ କଂଗ୍ରେସ ୩ ଆସନରେ ଜିତିଥିବାବେଳେ ଭାଜପାକୁ ଗୋଟିଏ ଆସନ ମିଳିଛି। କଂଗ୍ରେସରୁ ଅଜୟ ମାକେନ, ଜି.ସି. ଚନ୍ଦ୍ରଶେଖର ଏବଂ ସୟେଦ ନସୀର ହୁସେନ୍‌ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିବାବେଳେ ଭାଜପାରୁ ନାରାୟଣ କେ. ଭନ୍ଦାଗେ ଜିତିଛନ୍ତି। ୪ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ୫ ପ୍ରାର୍ଥୀ ରହିଥିଲେ। ଜେଡିଏସ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡି. କୁପେନ୍ଦ୍ର ରେଡ୍ଡୀ ହାରିଯାଇଛନ୍ତି। ମାକେନ୍‌ଙ୍କୁ ୪୭ ଭୋଟ ମିଳିଥିବାବେଳେ ଚନ୍ଦ୍ରଶେଖର ଏବଂ ହୁସେନ୍‌ଙ୍କୁ ୪୬ଟି ଲେଖାଏ ଭୋଟ ମିଳିଥିଲା। ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ଜଣାପଡ଼ିଛି। ଭାଜପା ବିଧାୟକ ଏସ୍‌.ଟି. ସୋମଶେଖର କଂଗ୍ରେସ ପ୍ରାର୍ଥୀ ମାକେନ୍‌ଙ୍କୁ ଭୋଟ ଦେଇଥିଲେ। ଅନ୍ୟତମ ଭାଜପା ବିଧାୟକ ଏ. ଶିବରାମ ହେବ୍ବର ଭୋଟ ବେଳେ ଅନୁପସ୍ଥିତ ରହିଥିଲେ। ଦକ୍ଷିଣ ଭାରତୀୟ ରାଜ୍ୟରେ ଦଳୀୟ ବିଧାୟକଙ୍କ କ୍ରସ୍‌ ଭୋଟିଂ ଭାଜପା ପାଇଁ ଶକ୍ତ ଧକ୍କା ହୋଇଛି। କର୍ନାଟକରେ ରାଜ୍ୟ ସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସର ବିଜୟ ନୀତି, ଆଦର୍ଶ, ଗଣତନ୍ତ୍ର ଓ ନୈତିକତାର ବିଜୟ ବୋଲି ଦଳର ସାଧାରଣ ସମ୍ପାଦକ ତଥା କର୍ନାଟକ ପ୍ରଭାରୀ ରଣଦୀପ ସିଂ ସୂର୍ଯ୍ୟଓ୍ବୋଲା କହିଛନ୍ତି। ସେହିପରି ହିମାଚଳପ୍ରଦେଶର ଗୋଟିଏ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ହାରିଯାଇଛନ୍ତି। ଉଭୟ ପ୍ରାର୍ଥୀ ୩୪ଟି ଲେଖାଏଁ ଭୋଟ ପାଇଥିବାବେଳେ ଧର୍ମଗୁଳା ଜରିଆରେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ୬୮ ସଦସ୍ୟ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସର ୪୦ ବିଧାୟକ ଥିବାବେଳେ ଭାଜପାର ୨୫ ସଦସ୍ୟ ରହିଛନ୍ତି। ଏହା ସତ୍ତ୍ୱେ ଭାଜପା ପ୍ରାର୍ଥୀ ବିଜୟୀ ହେବା କଂଗ୍ରେସ ପାଇଁ ବଡ଼ ଧକ୍କା।

ଏହା କଂଗ୍ରେସର ସମ୍ମାନ ପ୍ରତି ଧକ୍କାଠାରୁ ଅଧିକ କ୍ଷତିକାରଣ ହୋଇପାରେ ବୋଲି କୁହାଯାଉଛି। କାରଣ ଏହାକୁ ଆଧାର କରି ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିିପାରେ। କଂଗ୍ରେସରୁ ୫ରୁ ୬ ଜଣ ବିଧାୟକଙ୍କୁ ସିଆର୍‌ପିଏଫ୍‌ ଏବଂ ହରିୟାଣା ପୋଲିସ ଅପହରଣ କରିନେଇଯାଇଥିବା ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ୯ ଜଣ କଂଗ୍ରେସ ବିଧାୟକ କ୍ରସ୍‌ ଭୋଟିଂ କରିଥିବା ଦଳୀୟ ପ୍ରାର୍ଥୀ ସିଂଘଭି ଅଭିଯୋଗ ଆଣିଛନ୍ତି।

Comments are closed.