ଲେଡ଼ିଜ ହଷ୍ଟେଲରେ ନରକଙ୍କାଳ !
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼ନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି । ଏହି କଙ୍କାଳଟି ଛୋଟ ଛୁଆର କଙ୍କାଳ ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଅନ୍ୟ ପକ୍ଷରେ ଏହା ମଣିଷର ନୁହେଁ, କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସମଲେଶ୍ୱରୀ ହାଇସ୍କୁଲର ଆଦିବାସୀ ଛାତ୍ରୀ ନିବାସ ଅନେକ ଦିନରୁ ବନ୍ଦ ପଡିଛି । କରୋନା ସମୟରେ ଏହା କ୍ୱାରେଣ୍ଟାଇନ କେନ୍ଦ୍ର ଭାବେ ବ୍ୟବହାର ହେଉ ଥିଲା । ପରେ ସେହି ହଷ୍ଟେଲଟି ବନ୍ଦ ପଡିଛି । ଗତକାଲି ସନ୍ଧ୍ୟା ସମୟରେ ଛୋଟ ଛୁଆମାନେ ହଷ୍ଟେଲ ପାଖରେ ଖେଳୁଥିବା ସମୟରେ ଝରକା ଫାଙ୍କରୁ କଙ୍କାଳଟି ପଡିଥିବା ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକଙ୍କୁ କହିଥିଲେ । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଖଡିଆଳ ଏସଡିପିଓ ଓ ବୋଡେନ୍ ଥାନା ପୁଲିସ ହଷ୍ଟେଲରେ ପହଞ୍ଚି କୋଠରୀକୁ ତନ୍ନତନ୍ନ କରି ଦେଖିଥିଲେ । ପରେ ଏହା ମଣିଷର ନୁହେଁ, କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ପୁଲିସ କହିଛି । ପୁଲିସ କଙ୍କାଳକୁ ଜବତ କରି ଘଟଣାର ତତନ୍ତ କରୁଛି ।
Comments are closed.