ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର
ଭୁବନେଶ୍ୱର, ୨୭ ଏପ୍ରିଲ ୨୦୨୨: ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର ମିଳିଛି। ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଭାବେ ଉତ୍କର୍ଷ ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ବୁଧବାର ଦିନ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ଲିଡରସିପ୍ ଆୱାର୍ଡ ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାରେ ପ୍ରତିଷ୍ଠିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ, ନିଯୁକ୍ତି, ନେତୃତ୍ୱ, ଶିକ୍ଷା ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନରେ ଏହାର ଭୂମିକା ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଆଦି କ୍ଷେତ୍ରରେ ବିଶେଷ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ତରଫରୁ ଏଆଇପିଏଚ୍ ସ୍କୁଲ୍ ଅଫ୍ ପବ୍ଲିକ ହେଲ୍ଥ ବିଭାଗର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ।
“ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପ୍ରଦାନ କରୁଥିବା ଏଭଳି ସମ୍ମାନଜନକ ପୁରସ୍କାର ପାଇଁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆମେ କୃତଜ୍ଞତା ଜଣାଉଛୁ। ଆମ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଉଚ୍ଚତର ଶିକ୍ଷା ସହ ଅନ୍ତର୍ଜାତୀୟ ସ୍ତରର ଅଭିଜ୍ଞତା ହାସଲ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଥିବା ଅତ୍ୟାଧୁନିକ ତଥା ବିଏସ୍ଏଲ୍-୩ ଲାବୋରେଟୋରୀ ଦେଶରେ ସ୍ୱତନ୍ତ୍ର। ବିଶ୍ୱବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହିତ ଗବେଷଣା ଲାଗି ସୁଯୋଗ, ଉନ୍ନତ ପାଠାଗାର ଭଳି ଭିତ୍ତିଭୂମି ରହିଛି। ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରାୟ ଗୋଟିଏ ଦଶନ୍ଧି ଧରି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଯେଭଳି କାମ କରିଆସୁଛି, ଏହି ପୁରସ୍କାର ସେଥିଲାଗି ଏକ ସ୍ୱୀକୃତି ନିଶ୍ଚୟ”, ପୁରସ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ଏଆଇପିଏଚ୍ ସ୍କୁଲ୍ ଅଫ୍ ପବ୍ଲିକ ହେଲ୍ଥ ବିଭାଗର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା।

କାର୍ଯ୍ୟକ୍ରମରେ ଅତିଥି ଭାବେ ‘ୱାର୍ଲ୍ଡ ସିଏସ୍ଆର୍ ଡେ ଆଣ୍ଡ ୱାର୍ଲ୍ଡ ସଷ୍ଟେନବିଲିଟି’ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଡକ୍ଟର ଆର୍.ଏଲ୍. ଭାଟିଆ ଏବଂ ସ୍ୟାଣ୍ଡିଜ୍ ଟାୱାରର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧି ତଥା ସରକାରୀ ଓ ଘରୋଇ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଗବେଷଣା ପାଇଁ ଏଆଇପିଏଚ୍ ଅନୁଷ୍ଠାନ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଶ ବିଦେଶରେ କାମ କରିଆସୁଛି। ଓଡ଼ିଶା ବିଧାନସଭାରେ ପାରିତ ଆଇନ ବଳରେ ୨୦୧୮ ମସିହାରେ ଏହା ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟର ରୂପ ନେବା ସହ ଅନୁଷ୍ଠାନ ନିଜର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିପାରିଛି।
ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ବିଭିନ୍ନ ଜନସ୍ୱାସ୍ଥ୍ୟ ବିଷୟରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ, ଡକ୍ଟରାଲ ଓ ପୋଷ୍ଟ ଡକ୍ଟରାଲ ଡିଗ୍ରୀ ପ୍ରଦାନ କରୁଛି। ବିଭିନ୍ନ ପାଠ୍ୟକ୍ରମ ମଧ୍ୟରେ ରହିଛି ପବ୍ଲିକ ହେଲ୍ଥ, ହେଲ୍ଥ କେୟାର ମ୍ୟାନେଜମେଣ୍ଟ, ବାୟୋଲୋଜିକାଲ ସାଇନ୍ସ, ଅକୁପେସନାଲ ଥେରାପି, ଫିଜିକାଲ ଏଜୁକେସନ, ମେଡିକାଲ ଲ୍ୟାବ୍ ମେଡିସିନ୍, ଓଷ୍ଟିଓପାଥି, ଡାଏଟେଟିକ୍ସ ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନ୍, କ୍ଲିନିକାଲ ସାଇକୋଲୋଜି, ଫିଜିଓଥେରାପି ଓ ମେଡିକାଲ ସୋସିଓଲୋଜି ଇତ୍ୟାଦି।
ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ଡାକ୍ତର ପିନାକୀ ପାଣିଗ୍ରାହୀ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ। ସେ ବର୍ତ୍ତମାନ ଆମେରିକାର ୱାଶିଂଟନ୍ ଡିସି ସ୍ଥିତ ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଜନସ୍ୱାସ୍ଥ୍ୟ ଭଳି ଏକ ଆଧୁନିକ ଓ ବ୍ୟାବହାରିକ ବିଷୟରେ ଶିକ୍ଷା ଓ ଗବେଷଣା ପାଇଁ ଖ୍ୟାତିଲାଭ କରିଥିବା ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଭୁବନେଶ୍ୱର ନିକଟସ୍ଥ ଫୁଲନଖରାଠାରେ ଥିବା ଇଷ୍ଟ କ୍ୟାମ୍ପସରେ ଚାଲିଛି।
Comments are closed.