ନାବାଳିକା ମୃତ୍ୟୁ ଓ ଶବ ବ୍ୟବଚ୍ଛେଦ ଅବହେଳା ଘଟଣା: ‘ୟୁଭା’ ପକ୍ଷରୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ଦାବିପତ୍ର, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

0

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର ୧୬ ବର୍ଷୀୟା ନାବାଳିକା ମାଧୁରୀ ମାଝୀଙ୍କ ସାପ କାମୁଡ଼ାରେ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଓ ମେଡିକାଲ ପ୍ରଶାସନର ଦାୟିତ୍ୱହୀନତାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୀର୍ଘ ୩୬ ଘଣ୍ଟା ଧରି ନାବାଳିକାଙ୍କ ଶୋକସନ୍ତପ୍ତ ଆଦିବାସୀ ପରିବାରକୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲ ଦୌଡ଼ାଇ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ଘଟଣାରେ ଆଜି ଗୁରୁବାର ଦିନ ‘ୟୁଥ୍ ୟୁନାଇଟେଡ୍ ଫର୍ ଦି ଭିଜନ୍ ଅଫ୍ ଆମ୍ବେଦକର’ (ୟୁଭା) ସଂଗଠନ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ, ଥୁଆମୂଳ ରାମପୁର ଥାନା ଅଧିକାରୀ, ବିଡିଓ ଏବଂ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାବାଦ୍‌ ଇମେଲ୍ ଜରିଆରେ କଳାହାଣ୍ଡି ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଦାବିପତ୍ରର ନକଲ ପଠାଯାଇଛି।


ଦାବିପତ୍ରରେ ‘ୟୁଭା’ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ସମ୍ମୁଖରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଦାବି ରଖାଯାଇଛି: ୧. ଶବ ବ୍ୟବଚ୍ଛେଦ ମନା କରିବାର ଲିଖିତ ସ୍ପଷ୍ଟୀକରଣ: ଥୁଆମୂଳ ରାମପୁର ସିଏଚ୍ ସି ରେ ପୋଷ୍ଟମୋର୍ଟମର ସମସ୍ତ ସୁବିଧା ଥାଇ ସୁଦ୍ଧା କାହିଁକି ଶବ ବ୍ୟବଚ୍ଛେଦ କରିବାକୁ ମନା କରାଗଲା ଏବଂ ମୃତଦେହକୁ ଜୟପାଟଣା ହସ୍ପିଟାଲକୁ ପଠାଗଲା, ସେ ନେଇ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଲିଖିତ ସ୍ପଷ୍ଟୀକରଣ ଦିଅନ୍ତୁ। ୨. ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ: ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କର୍ତ୍ତବ୍ୟରେ ଚରମ ଅବହେଳା କରିଥିବା ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ୩. ଆର୍ଥିକ ସହାୟତା ଓ କ୍ଷତିପୂରଣ: ସର୍ପାଘାତ ଭଳି ଆକସ୍ମିକ ମୃତ୍ୟୁ କ୍ଷେତ୍ରରେ ମୃତକଙ୍କ ଗରିବ ପରିବାରକୁ ମିଳୁଥିବା ସରକାରୀ ସହାୟତା ତୁରନ୍ତ ପ୍ରଦାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ସୁପାରିଶ କରାଯାଉ। ଦାବିପତ୍ର ଗ୍ରହଣ କରିବା ପରେ ତହସିଲଦାର ଏବଂ ବିଡ଼ିଓଙ୍କ ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଆଗାମୀ ଦିନରେ ଯେପରି ଏଭଳି ସମସ୍ୟାର ପୁନରାବୃତ୍ତି ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମାଧୁରୀଙ୍କୁ ସାପ କାମୁଡ଼ିବା ପରେ କଲମପୁର ସିଏଚ୍ ସି ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଉଦ୍ଧାର କରି ରାମପୁର ସିଏଚ୍ ସି ରେ ରଖିଥିଲେ ହେଁ ପରଦିନ “ଆମ ମେଡିକାଲରେ ମୃତ୍ୟୁ ହୋଇନି” କହି ଡାକ୍ତର ଶବ ବ୍ୟବଚ୍ଛେଦ କରିବାକୁ ସିଧାସଳଖ ମନା କରିଦେଇଥିଲେ। ଫଳରେ ନିରୁପାୟ ପରିବାର ୪୦ କିଲୋମିଟର ଦୂର ଜୟପାଟଣା ହସ୍ପିଟାଲ ଯିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାରେ ପୋଲିସ ଓ ଡାକ୍ତରଙ୍କ ପରସ୍ପର ବିରୋଧୀ ବକ୍ତବ୍ୟ ସେମାନଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇଥିଲା। ଗୁରୁବାର ଦାବିପତ୍ର ପ୍ରଦାନ ସମୟରେ ‘ୟୁଭା’ ସଂଗଠନର ସଦସ୍ୟ ସୁରେନ୍ଦ୍ର ନାଏକ, ବୈଷ୍ଣବ ନାଏକ, ଦୁର୍ଗା କୀର୍ତ୍ତି, ଗମୟ ରଞ୍ଜନ ନାଏକ, ମହେଶ ଧଙ୍ଗଡା ମାଝୀ, ମଣିଭଦ୍ର ନାଏକ, ରଘୁନାଥ ନାଏକ, ରୋହିତ ନାଏକ, ଜଗନ୍ନାଥ ଠାକୁର ଓ ଅନନ୍ତ ନାଏକଙ୍କ ସମେତ ବହୁ ଯୁବକ ଉପସ୍ଥିତ ଥିଲେ। ଥୁଆମୂଳ ରାମପୁର ବ୍ଲକ ରୁ ହିତେଶ କୁମାର ନାଏକ ଙ୍କ ରିପୋଟ ମହକ ନିୟୁଷ |

Leave A Reply

Your email address will not be published.