ଅଦିନିଆ ବର୍ଷାକୁ ନେଇ ରାଜ୍ୟ ରାଜନୀତି ସରଗରମ, ଶାସକ ଓ ବିରୋଧୀ ମୁହାଁମୁହିଁ
ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ହେଉଛି, ଆଉ ଚାଷୀଙ୍କ ଧାନ ଭିଜିବାରେ ଲାଗିଛି । କୋହଲା ପାଗରେ ସାରା ରାଜ୍ୟ ଏବେ ଦିନ କାଟୁଥିବାବେଳେ, ଏହି ପ୍ରସଙ୍ଗରେ କିନ୍ତୁ ଗରମ ହେଇଛି ରାଜ୍ୟ ରାଜନୀତି । ବିରୋଧୀ ଦଳ ଧାନ ଭିଜିବା ପ୍ରସଙ୍ଗକୁ ନେଇ ସରକାରକୁ ଘେରିବା ଆରମ୍ଭ କରିଥିବାବେଳେ, ସରକାରୀ ଦଳର ମନ୍ତ୍ରୀ ନିଜକୁ ବଞ୍ଚାଇବାକୁ ଯାଇ ବର୍ଷାରେ ଧାନ ନଷ୍ଟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ସମବାୟ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ରାଜ୍ୟରେ ଏବେ ଲଘୁଚାପ ପ୍ରଭାବରେ ବର୍ଷା ହେଉଛି, ବିଲରେ ଧାନ ଗଜା ହେଇପାରେ । ହେଲେ ମଣ୍ଡିରେ ଓଦା ହେବା ସମ୍ଭାବନା କମ୍ । ତେବେ ଓଦା ହୋଇଥିବା ଧାନକୁ ତଦାରଖ କରି ରାଜ୍ୟ ସରକାର କ୍ଷତିପୂରଣ କଥା ଚିନ୍ତା କରିବେ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଧାନ ଶୁଖିଲା ପରେ ମଣ୍ଡିକୁ ଆସିବ । ଆସନ୍ତା ଫେବ୍ରୁଆରୀ ମାସ ଯାଏଁ ମଣ୍ଡି ଖୋଲା ରହିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି ବିରୋଧୀ ବିଜେଡି । ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାର ବାରମ୍ବାର ଘୋଷଣା କରିଥିଲେ, କିନ୍ତୁ ଗ୍ରାଉଣ୍ଡରେ କଣ ଅବସ୍ଥା, ସେନେଇ ନିଜେ ଯାଇ ଦେଖନ୍ତୁ । ହଜାର ହଜାର ଏକର ଧାନ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହେଇଛି, ତା ପାଖରେ ଟୋକନ୍ ନାହିଁ ବୋଲି କହିବା ସହ ଶାସକ ଦଳକୁ ଘେରିଛନ୍ତି ପ୍ରସନ୍ନ । ଏହାସହ ମଣ୍ଡିରେ ଧାନ ବର୍ଷା ପାଣିରେ ନଷ୍ଟ ହେଉଛି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରୁଛନ୍ତି । ଏହାଦ୍ୱାରା କେମିତି ଚାଷୀଙ୍କ ବିକାଶ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ଅଶୋକ ଦାସ ମଧ୍ୟ ସମାନ ପ୍ରସଙ୍ଗରେ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମଣ୍ଡି ଏବେ ବି ଅବ୍ୟବସ୍ଥା ଘେରରେ ରହିଛି । ବର୍ଷାରେ ଧାନ ପଡିରହିଛି । ସରକାର ବାହାସ୍ପୋଟ ମାରିବାରେ ଲାଗିଛନ୍ତି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।