ମମତା ଓ ସୁଜିତଙ୍କ ପରେ କିଏ ? ରାଜ୍ୟସଭାରୁ ପଡ଼ିପାରେ ବିଜେଡିର ଆହୁରି ୱିକେଟ୍

0

ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ନବୀନ ନିବାସରେ ଅନୁଷ୍ଠିତ ବିଜେଡି ସଂସଦୀୟ ବୈଠକରେ ରାଜ୍ୟ ପ୍ରସଙ୍ଗକୁ ଏଥର ଜୋରଦାର ଢଙ୍ଗରେ ଉଠାଇବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଆଜି ଯାଏଁ ସେଭଳି କିଛି ନଜରକୁ ଆସି ନାହିଁ । ସବୁଠୁ ବଡ଼ କଥା ହେଲା, ଏ ଯାଏଁ ରାଜ୍ୟ କମିଟି ବି ଗଠନ ହୋଇପାରୁନି । ଏମିତି ସ୍ଥିତିରେ ନେତୃତ୍ୱ ଉପରୁ ଭରସା ହଟୁ ଥିବାରୁ ପଞ୍ଚାୟତ ପ୍ରତିନିଧିମାନେ ମଧ୍ୟ ବିଜେଡି ଛାଡ଼ି ବିଜେପି ମୁହାଁ ହେଉଛନ୍ତି । ଗତ ନିର୍ବାଚନରେ ଲୋକସଭାରେ ଜିରୋ ହୋଇଯାଇଛି ବିଜେଡି । ଆଉ ମମତା ଓ ସୁଜିତ୍ ଯିବା ପରେ ରାଜ୍ୟସଭାରେ ଦଳର ସାଂସଦ ସଂଖ୍ୟା ୭କୁ ଖସି ଆସିଛି ।

ଅଗଷ୍ଟ ୨ରେ ମମତା ମହାନ୍ତ, ସେପ୍ଟେମ୍ବର ୬ରେ ସୁଜିତ କୁମାର । ବିଜେଡି ଛାଡ଼ି ବିଜେପିରେ ମିଶିଲେ, ରାଜ୍ୟସଭା ଗଲେ । ଚର୍ଚ୍ଚା ହେଉଛି ମମତା ଏବଂ ସୁଜିତଙ୍କ ପଛକୁ ପଛ ଆହୁରି ବି ବିଜେଡି ସାଂସଦ ରହିଛନ୍ତି । ସୁଜିତ କୁମାରଙ୍କ ପରେ ଏବେ ଶୁଭାଶିଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶିଙ୍କ ନାଁକୁ ନେଇ ବି ଖୁବ୍ ଚର୍ଚ୍ଚା ।

ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ । ଏହା ପରେ କାହା ପାଳି ତାକୁ ନେଇ ବଢିଛି ଚର୍ଚ୍ଚା । ଖାସ୍ କରି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ କୁ ନେଇ ହେଉଛି କଳ୍ପନା ଜଳ୍ପନା । ଅନ୍ୟପକ୍ଷରେ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିବା ବେଳେ ନିରଞ୍ଜନ ବିଶିଙ୍କ ନାଁ ବି ଚର୍ଚ୍ଚା ହେଉଥିଲା, ଏବେ ପୁଣି ଥରେ ସେହି କଥା ଉଠୁଛି । ବିଜେପି ବି କହିଛି ଅନେକ ସାଂସଦ ଯୋଗାଯୋଗରେ ଅଛନ୍ତି, ଆସିପାରନ୍ତି । ରାଜ୍ୟସଭାରେ ବିଜେଡି ଶୂନ୍ ହୋଇପାରେ । ଜବାବରେ ବିଜେଡି କହିଛି, ବିଜେପିର ଏଜେଣ୍ଡା ଅନ୍ୟ ଦଳକୁ ଭାଙ୍ଗିବା । ଯେତେ ସୁବିଧାବାଦୀ ନେତା ଛାଡ଼ିବେ ଦଳ ଆଗକୁ ବଢିବ । ତେବେ ଏଭଳି ଚର୍ଚ୍ଚାକୁ ନେଇ ଶୁଭାଶିଷ କିମ୍ବା ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.